|
|
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘାନା ର ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନରେ ସମ୍ବୋଧିତ କରିଥିବା ବିଷୟ ସମ୍ପର୍କରେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘାନା ର ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନରେ ସମ୍ବୋଧିତ କରିଥିବା ବିଷୟ ସମ୍ପର୍କରେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି ଅଧିବେଶନରେ ସଂସଦର ସଦସ୍ୟ, ସରକାରୀ ଅଧିକାରୀ ଏବଂ ଉଭୟ ଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହି ଅଭିଭାଷଣ ଭାରତ - ଘାନାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ଯାହା ଦୁଇ ଦେଶକୁ ଏକଜୁଟ କରୁଥିବା ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ।
ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ଭାରତ ଏବଂ ଘାନା ମଧ୍ୟରେ ଥିବା ଐତିହାସିକ ସମ୍ଵନ୍ଧ ଉପରେ ଆଲୋକପାତ କରିଥିଲେ, ଯାହା ସ୍ୱାଧୀନତା ପାଇଁ ସମାନ ସଂଘର୍ଷ ଏବଂ ଗଣତନ୍ତ୍ର ଓ ସମାବେଶୀ ବିକାଶ ପ୍ରତି ଏକ ସମାନ ପ୍ରତିବଦ୍ଧତା ମାଧ୍ୟମରେ ଗଠନ କରାଯାଇଥିଲା। ସେ ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ଏବଂ ଘାନାର ଜନସାଧାରଣଙ୍କୁ ତାଙ୍କୁ ପ୍ରଦାନ କରାଯାଇଥିବା ଜାତୀୟ ସମ୍ମାନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଏହାକୁ ସ୍ଥାୟୀ ବନ୍ଧୁତାର ପ୍ରତୀକ ବୋଲି କହିଥିଲେ। ଘାନାର ମହାନ ନେତା - ଡକ୍ଟର କ୍ୱାମେ ନକରୁମାଙ୍କ ଅବଦାନ ସମ୍ପର୍କରେ ଉଲ୍ଳେଖ କରି, ସେ କହିଥିଲେ ଯେ ଏକତା, ଶାନ୍ତି ଏବଂ ନ୍ୟାୟର ଆଦର୍ଶ ହେଉଛି ଦୃଢ଼ ଏବଂ ସ୍ଥାୟୀ ସହଭାଗୀତାର ମୂଳଦୁଆ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପରିପୁଷ୍ଟ କରିବାର ମହତ୍ଵ ଉପରେ ଗୁରୁତ୍ୱାରୋପ କରି, ଡକ୍ଟର ନକରୁମାଙ୍କ ଉଦ୍ଧୃତି ଦେଇଥିଲେ, ଯିଏ ଥରେ କହିଥିଲେ ଯେ - "ଆମକୁ ଏକାଠି କରୁଥିବା ଶକ୍ତିଗୁଡ଼ିକ ଅନ୍ତର୍ନିହିତ ଅଟେ ଏବଂ ଏହା ଆମକୁ ପୃଥକ ରଖୁଥିବା ପ୍ରଭାବଠାରୁ ବହୁତ ବଡ଼" ଏବଂ ସେ ମଧ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନ ଗଠନର ଦୀର୍ଘକାଳୀନ ପ୍ରଭାବ ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଉଲ୍ଲେଖ କରିଥିଲେ।
ଗଣତନ୍ତ୍ରର ଜନନୀ ଭାବରେ ଭାରତ ଏହାର ସଂସ୍କୃତିର ଏକ ଅଂଶ ଭାବରେ ଗଣତାନ୍ତ୍ରିକ ନୀତିକୁ ଗ୍ରହଣ କରିଛି ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଭାରତରେ ରହିଥିବା ଗଣତନ୍ତ୍ରର ଗଭୀର ଏବଂ ଦୃଢ଼ ଆଧାର ଉପରେ ଆଲୋକପାତ କରିଥିଲେ। ସେ ବିବିଧତାରେ ଏକତାର ଶକ୍ତିର ପ୍ରମାଣ ଭାବରେ ଭାରତର ବିବିଧତା ଏବଂ ଗଣତାନ୍ତ୍ରିକ ଶକ୍ତିକୁ ଇଙ୍ଗିତ କରିଥିଲେ, ଯାହା ଘାନାର ନିଜସ୍ୱ ଗଣତାନ୍ତ୍ରିକ ଯାତ୍ରାରେ ପ୍ରତିଧ୍ୱନିତ ହୋଇଥିଲା। ସେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ମହାମାରୀ ଏବଂ ସାଇବର ବିପଦ ଭଳି ପ୍ରମୁଖ ବୈଶ୍ବିକ ଆହ୍ଵାନଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏକ ସାମୂହିକ ଦକ୍ଷିଣ ବିଶ୍ୱର ବିକାଶ ପାଇଁ ଆହ୍ୱାନ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଭାରତର ଅଧ୍ୟକ୍ଷତା ସମୟରେ G20 ର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ଅନ୍ତର୍ଭୁକ୍ତ କରିବା ଉପରେ ମଧ୍ୟ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ଘାନାର ସମୃଦ୍ଧ ସଂସଦୀୟ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ଏବଂ ଉଭୟ ଦେଶର ବ୍ୟବସ୍ଥାପିକା ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଘାନା - ଭାରତ ସଂସଦୀୟ ବନ୍ଧୁତା ସମାଜ ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଭାରତର ଲୋକଙ୍କ ସଂକଳ୍ପକୁ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା କ୍ଷେତ୍ରରେ ଭାରତ ଘାନା ସହିତ କାନ୍ଧକୁ କାନ୍ଧ ମିଶାଇ ଛିଡା ହେବ।
Read More
|
|
|