ମହତାବ କୋଠିର ମହାତ୍ମା ଗାନ୍ଧୀଙ୍କ ବିଶ୍ରାମ କକ୍ଷରେ ଆଲୋଚନା ଚକ୍ର
( ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ରର ମାସିକ ଆଲୋଚନା ଚକ୍ର ଓ କବିତା ପାଠ)
ମହତାବ କୋଠିର ମହାତ୍ମା ଗାନ୍ଧୀଙ୍କ ବିଶ୍ରାମ କକ୍ଷରେ ଆଲୋଚନା ଚକ୍ର
( ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ରର ମାସିକ ଆଲୋଚନା ଚକ୍ର ଓ କବିତା ପାଠ)
ଭଦ୍ରକ - ୦୮/୦୬(ଖଣ୍ଡାଧାର ନିଉଜ) ସଂଗ୍ରାମୀମାନଙ୍କ ପାଦ ଚିହ୍ନ ଦେଶ ବିଦେଶରେ ଯେଉଁଠାରେ ପଡ଼ିଛି, ଆଜି ତାହା ପୂଣ୍ୟ ପୀଠରେ ପରିଣତ ହୋଇଛି। ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଆଜି ଏହା ମୁକସାକ୍ଷୀ ଭଳି ମନେ ହେଉଛି। ଭଦ୍ରକ ସହର ଅନ୍ତର୍ଗତ ମହତାବ କୋଠି ଆଜି ଚଳ ଚଞ୍ଚଳ। ବିଭିନ୍ନ ସମୟରେ ବୌଦ୍ଧିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟ ଆୟୋଜିତ ହୋଇ ଶ୍ରୀବୃଦ୍ଧି ସାଧନ କରୁଛି। ୧୯୨୧, ୧୯୨୭ ଏବଂ ୧୯୩୪ ମସିହାରେ ମହାତ୍ମା ଗାନ୍ଧୀ ଭଦ୍ରକକୁ ତିନି ଥର ଆସିଥିଲେ। ୧୯୨୭ ଡିସେମ୍ବର ୧୬ ଏବଂ ୧୯୩୪ ଜୁନ୍ ୬ ତାରିଖରେ ମହାମାନବ ମହାତ୍ମା ଗାନ୍ଧୀ ଭଦ୍ରକର ବିଭିନ୍ନ ଅଞ୍ଚଳ ଗସ୍ତ ସହିତ ହରିଜନ ପଦଯାତ୍ରା କରି ଶେଷରେ ମହତାବ କୋଠିରେ ରାତ୍ରିଯାପନ କରିଥିଲେ। ଭଦ୍ରକ ଜିଲ୍ଲାର ମଞ୍ଜୁରୀ, ତୋଡଙ୍ଗା, ବାରିକପୁର, ବନ୍ତ, ଗାନ୍ଧୀ ବାଳାଶ୍ରମ, ଚାରୁବାଟିଆ, ନୂଆ ବଜାର ଭଳି ପୂଣ୍ୟ ପୀଠ ପରିଦର୍ଶନ କରି ରାତ୍ରିରେ ଯେଉଁଠି ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସହିତ ବିଶ୍ରାମ ନେଇଥିଲେ , ମହତାବ କୋଠିର ସେହି ପୂଣ୍ୟ କକ୍ଷରେ ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ର ଆନୁକୁଲ୍ୟରେ ଅନୁଷ୍ଠିତ ଏକ ସାରସ୍ୱତ କାର୍ଯ୍ୟକ୍ରମରେ ବକ୍ତାମାନେ ମତପ୍ରକାଶ କରିଥିଲେ ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ରର ରାଜ୍ୟ ସଭାପତି ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଜ୍ଞାନ ଏକାଡେମୀର ବୈଜ୍ଞାନିକ ତଥା ବରିଷ୍ଠ ସଦସ୍ୟ ସାହିତ୍ୟିକ ଇଂ ଅଭୟ ସୂତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଭଦ୍ରକ ଆଗମନ, ମହତାବ କୋଠିରେ ରାତ୍ରିଯାପନ ସମ୍ପର୍କରେ ବହୁ ଗବେଷଣାଧର୍ମୀ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମୁଖ୍ୟବକ୍ତା, ଆମ ମାତୃଭାଷା ପରିଷଦର ପ୍ରତିଷ୍ଠାତା ଡାକ୍ତର ଅନୀଲ କୁମାର ଦାଶ ବରେଣ୍ୟ ଅତିଥି, ଚରମ୍ପା ସାହିତ୍ୟ ଓ ସଂସ୍କୃତି ମଞ୍ଚର ସମ୍ପାଦକ ବାବୁଲାଲ ଦାସ, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ବ୍ୟଙ୍ଗକବି ବିଜୟ କୁମାର ବହଳି, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ବାରିକ, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାପୁରୁଷ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ଆଦର୍ଶରେ ଏ ସଂସାର କେମିତି ତ୍ୟାଗପୂତ ଜୀବନ ନିର୍ବାହ କରିଛି ସେ ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶିଷ୍ଟ କବି କବୟିତ୍ରୀ ମାନଙ୍କ ଦ୍ଵାରା ଭଦ୍ରକକୁ ମହାତ୍ମା ଗାନ୍ଧୀଙ୍କ ଆଗମନ ଶୀର୍ଷକ ସ୍ଵରଚିତ କବିତା ଆବୃତ୍ତି କରିଥିଲେ। ସଭାର ଆରମ୍ଭରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ରର ମୁଖ୍ୟ ସଂଯୋଜକ ଅଧ୍ୟାପକ ମନୋରଞ୍ଜନ ବାରିକ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଆବାହକ ଉତ୍ସର୍ଗ ସମାଜସେବା ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଅପୂର୍ବ ରଞ୍ଜନ ବେହେରା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସଂଯୋଜକ ଡାକ୍ତର ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।