ଦ୍ୱିତୀୟ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ୧୩୨ କେଭି ଟାୱାର ଉପରକୁ ଚଢ଼ିଗଲେ ବ୍ୟକ୍ତି, ୨ ଘଣ୍ଟାର କସରତ ପରେ ଉଦ୍ଧାର।
*ଦ୍ୱିତୀୟ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ୧୩୨ କେଭି ଟାୱାର ଉପରକୁ ଚଢ଼ିଗଲେ ବ୍ୟକ୍ତି, ୨ ଘଣ୍ଟାର କସରତ ପରେ ଉଦ୍ଧାର*
ବଡ଼ବିଲ, ୭ ଜୁନ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗାଁରେ ଶନିବାର ଏକ ଚମତ୍କାରପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବିବାହିତ ବ୍ୟକ୍ତି ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢ଼ିଯାଇଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଉଦ୍ଧାର ଅଭିଯାନ ପରେ ଅଗ୍ନିଶମ ବାହିନୀ ଓ ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବାରେ ସଫଳ ହୋଇଥିଲେ।
ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ବ୍ୟକ୍ତି ହେଲେ ବଡ଼ବିଲ ଅଞ୍ଚଳର ମାଗାଜିନ୍ ହଟିଂ ବାସିନ୍ଦା ଅର୍ଜୁନ ଗୋପ। ତାଙ୍କର ତିନିଜଣ ସ୍ତ୍ରୀ ଥିବା ଜଣାପଡ଼ିଛି। କିଛି ଦିନ ଧରି ଦ୍ୱିତୀୟ ସ୍ତ୍ରୀଙ୍କ ସହ ତାଙ୍କର ପାରିବାରିକ ବିବାଦ ଚାଲିଥିଲା। ଝଗଡ଼ା ପରେ ଦ୍ୱିତୀୟ ସ୍ତ୍ରୀ ନିଜ ଛୋଟ ପିଲାକୁ ସାଙ୍ଗରେ ନେଇ ଉଲିବୁରୁ ଗାଁରେ ଥିବା ନିଜ ଭିଣୋଇଙ୍କ ଘରକୁ ଚାଲିଯାଇଥିଲେ।
ଅର୍ଜୁନ ଗୋପ ତାଙ୍କ ସ୍ତ୍ରୀଙ୍କୁ ଘରକୁ ଫେରିବାକୁ ଅନୁରୋଧ କରିଥିଲେ। ମାତ୍ର ସ୍ତ୍ରୀ ତାଙ୍କ ସହ ଯିବାକୁ ରାଜି ନହେବାରୁ ସେ ଉତ୍ତେଜିତ ହୋଇ ନିକଟସ୍ଥ ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢ଼ିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ଖବର ପାଇ ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ପ୍ରଥମେ ତାଙ୍କୁ ବୁଝାସୁଝା କରି ତଳକୁ ଆସିବା ପାଇଁ ପ୍ରୟାସ କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ଓ କସରତ ପରେ ଅଗ୍ନିଶମ କର୍ମଚାରୀମାନେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ।
ଉଦ୍ଧାର ପରେ ଅର୍ଜୁନ ଗୋପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା। ଘଟଣାରେ କୌଣସି ବଡ଼ ଅଘଟଣ ଘଟିନଥିବାରୁ ସ୍ଥାନୀୟ ଲୋକ ଓ ପ୍ରଶାସନ ଆଶ୍ୱସ୍ତ ହୋଇଛନ୍ତି।
ଏହି ଘଟଣା ଅଞ୍ଚଳରେ ଦିନସାରା ଆଲୋଚନାର ବିଷୟ ପାଲଟିଥିଲା। ପାରିବାରିକ ବିବାଦକୁ ନେଇ ଜୀବନକୁ ବିପଦରେ ପକାଇବା ଭଳି ପଦକ୍ଷେପ ନ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ପରାମର୍ଶ ଦେଇଛନ୍ତି। ପୁଲିସ ମଧ୍ୟ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।