ଜିଲ୍ଲାର ସମସ୍ତ ପଞ୍ଚାୟତରେ ବିଶ୍ବ ପରିବେଶ ଦିବସ ପାଳିତ
ଦେବଗଡ଼, ତାରିଖ: ୦୫.୦୬.୨୦୨୬ ରିଖ :-
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ର ସଫଳ କାର୍ଯ୍ୟକାରିତା ସହିତ ସାଧାରଣ ଜନମାନସରେ ବର୍ଜ୍ୟ ପରିଚାଳନା ସମ୍ପର୍କିତ ସଚେତନତା ବୃଦ୍ଧି ନିମନ୍ତେ, ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଦେବଗଡ଼ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା।
ଏହି ଗ୍ରାମସଭାମାନଙ୍କରେ ଜୁନ୍ ୧ ରୁ ୪ ତାରିଖ ମଧ୍ୟରେ ଆୟୋଜିତ “ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ” କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଗ୍ରାମସଭାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଅନୁଯାୟୀ ଘରୋଇ ବର୍ଜ୍ୟବସ୍ତୁକୁ ଚାରିଟି ପୃଥକ ଶ୍ରେଣୀ— .
ଓଦା ବର୍ଜ୍ୟ, ଶୁଖିଲା ବର୍ଜ୍ୟ, ସାନିଟାରୀ ବର୍ଜ୍ୟ ଏବଂ ବିଶେଷ ଯତ୍ନ ବର୍ଜ୍ୟ—ରେ ବିଭକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା।ଏହା ସହିତ ନିୟମାନୁସାରେ ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନରେ ପକାଇବା, ପୋଡ଼ିବା କିମ୍ବା ଜଳାଶୟରେ ଫିଙ୍ଗିବା ଦଣ୍ଡନୀୟ ଅପରାଧ ବୋଲି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା ବୃଦ୍ଧି ପାଇଁ ନୋଟିସ ବୋର୍ଡରେ ବିଜ୍ଞପ୍ତି ପ୍ରଦର୍ଶନ, ଗ୍ରାମସଭାରେ ପାଠ କରାଯିବା ସହ ଏବଂ ସମସ୍ତ ୱାର୍ଡ ସଦସ୍ୟଙ୍କ ମାଧ୍ୟମରେ ଘରେ ଘରେ ସୂଚନା ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ଅଭିଯାନରେ ୱାର୍ଡ ସଦସ୍ୟମାନେ “Lead Facilitator” ଭାବେ କାର୍ଯ୍ୟ କରି ସ୍ୱଚ୍ଛତା, ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ, ପ୍ଲାଷ୍ଟିକ ବର୍ଜ୍ୟ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ବିଷୟରେ ଜନସଚେତନତା ସୃଷ୍ଟି କରିବେ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ, ଦେବଗଡ଼ ପକ୍ଷରୁ ସମସ୍ତ ନାଗରିକଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ କୁ କଠୋରତାର ସହିତ ପାଳନ କରି ସ୍ୱଚ୍ଛ, ସୁସ୍ଥ ଓ ପରିବେଶ-ମିତ୍ର ଗ୍ରାମ ଗଠନରେ ସହଭାଗୀ ହେବାକୁ ଅନୁରୋଧ କରାଯାଉଛି