କହିବାକୁ ଅଛି - ସୁଧୀର ମେହେର ଙ୍କ ଦ୍ଵାରା ସ୍ବରଚିତ କବିତା।
।। କହିବାକୁ ଅଛି ।।
ସୁଧୀର ମେହେର ।
ଅନେକ କିଛି
କହିବାକୁ ଅଛି ।
କହିବାକୁ ଅଛି
ଛାତି ଭିତରେ ଲହଡି ମାରୁଥିବା
ଅସୁମାରୀ ଢେଉର କଥା,
ବାରବାର ଗଢୁ ଥିଲେ ବି
ପ୍ରତିଥର
ଧସକି ପଡୁଥିବା ବାଲିଘରର ବ୍ୟଥା ।
ଶୁଣେଇବାକୁ ଅଛି
ଅସୁରୂଣି ବୁଢୀର କୁହୁକ ପେଡି ଭିତରେ
ଲୁଚିଥିବା ତା'ଜୀବନ ନାଟିକାର ରହସ୍ୟ କଥା,
ମାଲ୍ୟାଣି ଫୁଲଡାଲାରେ ରାଜକୁମାରୀ
ପଠେଇଥିବା ଗୋପନ ସନ୍ଦେସ ବାର୍ତ୍ତା।
କହିବାକୁ ଅଛି ବି
ସଞ୍ଜରେ ଫୁଟି ସକାଳୁ ମଉଳି ଯାଉଥିବା
ଫୁଲର ମରମ କଥା,
ପାଦରେ ଛମ୍ ଛମ୍ ପାଉଁଜି ପିନ୍ଧି ନାଚିଯାଉଥିବା
ଡଙ୍ଗରୀ ଝରଣାଟା ହଠାତ୍ ମୁହଁ ମାଡି
ଶୋଇ ପଡିବାର ଅସଲି କଥା ।
ଯାହା ଯାହା
କିଏ କେବେ ଭାବି ନ ଥିଲେ କେବେ ବି,
ତାହା ତାହା ହିଁ ଘଟି ଚାଲିଛି ଏଠି !
ବିଚିତ୍ର ଭାବରେ
ବଦଳି ଚାଲିଚି ଦୁନିଆ
ବଦଳି ଚାଲିଚୁ ଆମେ ବି ।।
ରନ୍ଝାରେ ଶୁଖେଇ ଦେଇ ଆସୁଚି
ଓଦା ସରସର ଲୁଗା,
କନ୍ କନ୍ ଦି'ପତ୍ର ମେଲି ଥିବା ଚାରା ମୂଳରେ
ନିଥରେଇ ଦେଇ ଆସେ ଦି'ବୁନ୍ଦା ଲୁହ
ରୁହ,
ସାରିଦେଇ ଆସେ ସବୁକାମ,
ଏଇ ଗଲି,ଏଇ ଆସିଲି....
ଅନେକ କିଛି କହିବାର ଅଛି।।
ଚିଚୈଗୁଡା, ଜୁନାଗଡ,
କଳାହାଣ୍ଡି, ପିନ୍-୭୬୬୦୧୪
ସଂପର୍କ -୯୫୮୩୫୮୮୮୮୭
(ସୌଜନ୍ୟ: ଖଣ୍ଡାଧାର ନିଉଜ)