ସ୍ଵତନ୍ତ୍ର ସଘନ ସଂଶୋଧନରେ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ କଲା ପ୍ରଶାସନ।
ସ୍ଵତନ୍ତ୍ର ସଘନ ସଂଶୋଧନରେ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ କଲା ପ୍ରଶାସନ।
କେନ୍ଦୁଝର, ଜୁନ୍ ୨୦୨୬: ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସମୟରେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ ବାଧାବିଘ୍ନର ସମ୍ମୁଖୀନ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ, ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକଙ୍କୁ ନିର୍ବାଚନ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଏବଂ ଆଇନକୁ ନିଜ ହାତକୁ ନେବାରୁ ବିରତ ରହିବାକୁ ନିବେଦନ କରିଛି।
ଅନ୍ୟ ଏକ ଗ୍ରାମ ଅଧୀନରେ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ହେବା ନେଇ କିଛି ବାସିନ୍ଦା ପ୍ରକାଶ କରିଥିବା ଆଶଙ୍କା ଗ୍ରହଣୀୟ। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୋଟର ତାଲିକାରେ ଥିବା ଏଭଳି ତ୍ରୁଟିଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ସଂଶୋଧନ କରିବା ପାଇଁ ହିଁ ସ୍ଵତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ବିଶେଷ ଭାବେ ହାତକୁ ନିଆଯାଇଛି। ବିଜ୍ଞପ୍ତି ସୂଚୀ ଅନୁଯାୟୀ, ଭୋଟରଙ୍କ ନାମ, ଠିକଣା ଏବଂ ମତଦାନ କେନ୍ଦ୍ରର ମ୍ୟାପିଂ ସଂଶୋଧନ ସହିତ ଭୋଟର ତାଲିକାର ଯୁକ୍ତିଯୁକ୍ତକରଣ (rationalisation) କାର୍ଯ୍ୟ ୨୮ ଜୁନ୍ ୨୦୨୬ ରେ କରାଯିବ। ଏହାପରେ, ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗ ଦାଖଲ କରିବା, ସଂଶୋଧନ କରିବା, ଆପତ୍ତି ଉଠାଇବା କିମ୍ବା ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ୫ ଜୁଲାଇ ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଏକ ବିସ୍ତୃତ ଦାବି ଏବଂ ଆପତ୍ତି ଅବଧି ପ୍ରଦାନ କରାଯାଇଛି। ଆପତ୍ତି ଅଭିଯୋଗର ଶୁଣାଣୀ ୫ ଜୁଲାଇ ୨୦୨୬ ରୁ ୨ ସେପ୍ଟେମ୍ବର ୨୦୨୬ ମଧ୍ୟରେ କରାଯାଇ ନିୟମାନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।ଏଭଳି ସମସ୍ତ ଆବେଦନକୁ ବିଧିବଦ୍ଧ ଭାବେ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସମାଧାନ କରାଯିବ। ଏକ ସଠିକ୍ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିଶ୍ଚିତ କରିବା ପାଇଁ BLO ମାନେ କେବଳ ସେମାନଙ୍କୁ ଅର୍ପିତ ଦାୟିତ୍ଵ ତୁଲାଉଛନ୍ତି। ନିର୍ବାଚନ ଅଧିକାରୀମାନଙ୍କ ପ୍ରତି କୌଣସି ପ୍ରକାର ବାଧାସୃଷ୍ଟି, ଭୟଭୀତ ପ୍ରଦର୍ଶନ କିମ୍ବା ଦୁର୍ବ୍ୟବହାର କେବଳ ସଂଶୋଧନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରେ ନାହିଁ, ବରଂ ସେହି ଭୋଟରମାନଙ୍କ ସ୍ୱାର୍ଥକୁ ମଧ୍ୟ ପ୍ରଭାବିତ କରେ ଯେଉଁମାନଙ୍କ ସମସ୍ୟାର ସମାଧାନ ପାଇଁ ଏହି ପ୍ରୟାସ କରାଯାଉଛି।ତେଣୁ, କ୍ଷେତ୍ର ସ୍ତରୀୟ ଯାଞ୍ଚ ଏବଂ ପରିଗଣନା କାର୍ଯ୍ୟ ସମୟରେ ବିଏଲଓ, ସୁପରଭାଇଜର ଏବଂ ଅନ୍ୟାନ୍ୟ ନିର୍ବାଚନ କର୍ମଚାରୀଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି।
ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ସହଯୋଗ ବିନା ଏକ ବ୍ୟାପକ ତଥା ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବାର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ।ପ୍ରଶାସନ ସମସ୍ତ ଭୋଟରଙ୍କୁ ଆଶ୍ୱାସନା ଦେଉଛି ଯେ ଭୋଟର ପଞ୍ଜୀକରଣ, ଠିକଣା ମ୍ୟାପିଂ, ମତଦାନ କେନ୍ଦ୍ରର ଅଧିକାର କ୍ଷେତ୍ର ଏବଂ ଅନ୍ୟାନ୍ୟ ଭୋଟର ତାଲିକା ସମ୍ବନ୍ଧୀୟ ପ୍ରକୃତ ଅଭିଯୋଗଗୁଡ଼ିକୁ ବିଜ୍ଞପ୍ତିତ ଦାବି ଏବଂ ଆପତ୍ତି ଅବଧି ମଧ୍ୟରେ ଯଥାଯଥ ବିଚାର କରାଯିବ।
ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ନିଜେ ତ୍ରୁଟି ସଂଶୋଧନ ପାଇଁ ଏକ ମାଧ୍ୟମ ପ୍ରଦାନ କରିଥାଏ, ଏବଂ ନାଗରିକମାନଙ୍କୁ ଏହି ବ୍ୟବସ୍ଥାର ଶାନ୍ତିପୂର୍ଣ୍ଣ ଏବଂ ଗଠନମୂଳକ ଭାବେ ଉପଯୋଗ କରିବାକୁ ଉତ୍ସାହିତ କରାଯାଉଛି।ଜିଲ୍ଲା ପ୍ରଶାସନ ଏକ ସ୍ୱଚ୍ଛ, ସମାବେଶୀ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ନିଶ୍ଚିତ କରିବାକୁ ପ୍ରତିବଦ୍ଧ ଏବଂ ଏହି ସ୍ଵତନ୍ତ୍ର ସଘନ ସଂଶୋଧନ ୨୦୨୬ କୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।