ଆହେ ଜଗନ୍ନାଥ ତୁମେ ମୁକ୍ତିପଥ - ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ସ୍ବରଚିତ କବିତା।
ଆହେ ଜଗନ୍ନାଥ ତୁମେ ମୁକ୍ତିପଥ
************************
ବସନ୍ତ କୁମାର ପ୍ରଧାନ
ଆହେ ଜଗନ୍ନାଥ ତୁମେ ମୁକ୍ତିପଥ
ଭବ ସାଗର ନାଉରି
ମୋ ଆଶା ସରସ ହେଉ ବିକଶିତ
ଲଭି ତୁମ କୃପା ବାରି l
ହେ ସଚ୍ଚିଦାନନ୍ଦ ପରମାନନ୍ଦ
କୈବଲ୍ୟ ଦାତା ନାଥ
ତୁମେ ସୃଷ୍ଟି ସ୍ଥିତି ପ୍ରଳୟ ଦେବତା
ଅଟ ଜୀବ ମୁକ୍ତିପଥ l
ତୁମେ ବିଶ୍ୱେଶ୍ଵର ହେ ଦୟାସାଗର
ପତିତପାବନ ହରି
ତୁମ ଇଚ୍ଛାମତେ ଚଳାଅ ଜଗତ
ଦୀନବନ୍ଧୁ ଦଇତାରି l
ତୁମରି କୃପାରେ ପଙ୍ଗୁ ଲଙ୍ଘେ ଗିରି
ମୂକ କହିଥାଏ କଥା
ତୁମରି ଚିନ୍ତନ ନାମ ଭଜନରେ
ଦୂର ହୁଏ ଭବ ବ୍ୟଥା l
ତୁମ ନାମ ତୁଣ୍ଡେ ରହିଥିଲେ ସଦା
ପଶି ନପାରଇ ଯମ
ତୁମ ପ୍ରେମ ଭକ୍ତି ଦିବ୍ୟ ଭାବନାରେ
ଏ ଜୀବନ ଅନୁପମ l
ହେ ଜଗତ ପତି ତୁମେ ଗତି ମୁକ୍ତି
ଅଟ କରୁଣାନିଧାନ
ତୁମ ଚିନ୍ତନରେ ଧନ୍ୟ ଏ ଜୀବନ
ପାଏ ବୈକୁଣ୍ଠରେ ସ୍ଥାନ l
ପ୍ରଭୁ କୃପାନିଧି ସଂସାର ବାରିଧି
ପାରି କରିଦିଅ ମୋତେ
ଭରସା କରି ମୁଁ ଶରଣ ପଶୁଛି
ତୁମ ଶ୍ରୀ ଚରଣାଗ୍ରତେ l
******************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -7735611484
(ସୌଜନ୍ୟ ଖଣ୍ଡାଧାର ନିଉଜ)