logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଙ୍ଗନୱାଡି କେନ୍ଦ୍ରରେ ସାଇକେଲ ଦୋକାନ, ଗଛମୂଳରେ ପାଠ ପଢୁଛନ୍ତି ଶିଶୁ।

*ଅଙ୍ଗନୱାଡି କେନ୍ଦ୍ରରେ ସାଇକେଲ ଦୋକାନ, ଗଛମୂଳରେ ପାଠ ପଢୁଛନ୍ତି ଶିଶୁ*

*ପ୍ରଶାସନର ଅବହେଳା ନେଇ ଗ୍ରାମବାସୀଙ୍କ ଅସନ୍ତୋଷ*


ସାହାରପଡା, କେନ୍ଦୁଝର:୦୪/୦୬, ଶିଶୁମାନଙ୍କ ପ୍ରାଥମିକ ଶିକ୍ଷା ଓ ପୁଷ୍ଟିକର ସେବା ପାଇଁ ସରକାର ନିର୍ମାଣ କରିଥିବା ଅଙ୍ଗନୱାଡି କେନ୍ଦ୍ର ଏବେ ସାଇକେଲ ମରାମତି ଓ ବ୍ୟବସାୟର କେନ୍ଦ୍ର ପାଲଟିଥିବା ଅଭିଯୋଗ ଆସିଛି। ଫଳରେ ଶିଶୁମାନେ ଘର ଭିତରେ ପାଠ ପଢିବା ପରିବର୍ତ୍ତେ ଖୋଲା ଆକାଶ ତଳେ ଗଛମୂଳରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମ ପଞ୍ଚାୟତର ବଲାଣିପଶି ଗାଁରେ ଦେଖିବାକୁ ମିଳିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଁର ଅଙ୍ଗନୱାଡି କେନ୍ଦ୍ର ଦୀର୍ଘଦିନ ଧରି ନିଜ ଉଦ୍ଦେଶ୍ୟରେ ବ୍ୟବହୃତ ହେଉନାହିଁ। କେନ୍ଦ୍ର ଭିତରେ ସାଇକେଲ ରଖାଯାଉଥିବା ବେଳେ ସେଠାରେ ସାଇକେଲ ମରାମତି କାମ ମଧ୍ୟ ଚାଲୁଥିବା ଅଭିଯୋଗ ହେଉଛି। ଏହା ଯୋଗୁଁ ଶିଶୁମାନଙ୍କ ପାଇଁ ଆବଶ୍ୟକ ଶିକ୍ଷାଦାନ ପରିବେଶ ସମ୍ପୂର୍ଣ୍ଣ ଭାବେ ବିଘ୍ନିତ ହୋଇଛି।

ଶିଶୁମାନେ ବାଧ୍ୟ ହୋଇ ଗଛଛାୟା ତଳେ ବସି ପାଠ ପଢୁଥିବା ବେଳେ ଖରା, ବର୍ଷା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ପାଠପଢା ଗୁରୁତର ଭାବେ ପ୍ରଭାବିତ ହେଉଛି। ଅଭିଭାବକମାନେ ଏହାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସରକାର ଶିଶୁଙ୍କ ଶିକ୍ଷା ଓ ପୁଷ୍ଟିକର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଭୂମିସ୍ତରରେ ଏଭଳି ଚିତ୍ର ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ଅଙ୍ଗନୱାଡି କେନ୍ଦ୍ରକୁ ତୁରନ୍ତ ଶିଶୁମାନଙ୍କ ଶିକ୍ଷା ଓ ସେବା କାର୍ଯ୍ୟକ୍ରମ ପାଇଁ ଉପଯୋଗୀ କରାଯାଉ ଏବଂ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଉ।

ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଶିଶୁମାନଙ୍କ ଭବିଷ୍ୟତ ସହ ଜଡିତ ଏହି ଗୁରୁତର ସମସ୍ୟା ପ୍ରତି ପ୍ରଶାସନ କେତେ ଶୀଘ୍ର ଓ କେତେ ଗମ୍ଭୀରତାର ସହ ପଦକ୍ଷେପ ନେଉଛି।
ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

17
1732 views

Comment