logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୋଧୂଳି ସଞ୍ଜର ଗୀତ - ଡ. ସୁଭେନ୍ଦୁ ମେହେର ଙ୍କ ଦ୍ଵାରା ସ୍ବରଚିତ କବିତା।

ଗୋଧୂଳି ସଞ୍ଜର ଗୀତ
***************


ପଶ୍ଚିମାକାଶରେ ସୂର୍ଯ୍ୟ ଲୁଚିଗଲା ପରେ,
ଦିନର ଶେଷ ଆଲୁଅ ଯେବେ ପତ୍ର ଗହଳରେ ଲଟ୍‌କିଯାଏ,
ସେତେବେଳେ ଆରମ୍ଭ ହୁଏ ଗୋଧୂଳିର ଗୀତ !


ଅସ୍ତମିତ ସୂର୍ଯ୍ୟର ରକ୍ତିମ ଆଭାରେ
ଗାଁ ମୁହାଁ ଗୋଠର ଗାଈ
ଗୋଧୂଳିର ଧୂଆଁ
ବାଛୁରୀ ମାନଙ୍କ ବ୍ୟାକୁଳ ଡାକ
ଗାଈଆଳ ବଂଶୀରେ ଘରଫେରା ସଂଗୀତ ।


କୁଳ ଭୂଆସୁଣୀର ସଞ୍ଜ ସଳିତା
ଘଣ୍ଟ, ଶଙ୍ଖ ଧ୍ୱନିରେ ସୁର ଧରେ ଗାଁ ପରିବେଶ,
ହାତର ଶଙ୍ଖା ରୁଣୁଝୁଣୁ,
ଆଖିର କଜ୍ଵଳ ଠିକ ସଞ୍ଜ ପରି ଝିମ୍‌କଳା ।


ଘର ବାହୁଡା଼ ପକ୍ଷୀଙ୍କ
କିଚିରିମିଚିରି ଶବ୍ଦରେ
ଦିନ ସାରାର ଉଡ଼ାଣ କାହାଣୀ !
ନଈକୂଳର ବାଉଁଶ ବଣ ଲହରି ଲହରି
ପ୍ରକୃତିର ସନ୍ଧ୍ୟା ଆଳତି ଗାଏ ।


ଆଲୁଅର ଶେଷ ଆଉ ଅନ୍ଧାରର ଆରମ୍ଭ ହିଁ ଗୋଧୂଳି !
କର୍ମ ଆଉ ବିଶ୍ରାମର ସୀମାରେଖା ହିଁ ଗୋଧୂଳି,
ଶ୍ରମ ଆଉ ଶାନ୍ତିର ମଧ୍ୟନ୍ତର ହିଁ ଗୋଧୂଳି ।
ଗୋଧୂଳି.........
ଅନେକ ଆଶାର ରଙ୍ଗ ନେଇ ,
ଆସନ୍ତା କାଲିର ସୂର୍ଯ୍ୟକୁ ଅପେକ୍ଷା କରେ,
ଅନ୍ଧାର ପରେ ଆଲୁଅ ଆସିବାର ସ୍ୱୀକୃତି ଦିଏ ।


ସନ୍ଧ୍ୟା ଆକାଶର ତାରାଫୁଲ
ଗୋଧୂଳି ସଞ୍ଜର ଗୀତ ଗାଏ ,
ବିଦାୟର ନୁହେଁ,
ନୂତନ ଆଗମନର ସଙ୍କେତ ଦିଏ ।।


ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋ -9938433664

(ସୌଜନ୍ୟ ଖଣ୍ଡାଧାର ନିଉଜ)

5
723 views

Comment