ବରିଷ୍ଠ ଭୋଟରଙ୍କ ଘରେ ପହଞ୍ଚିଲା ନିର୍ବାଚନ ସେବା, ପ୍ରଶାସନର ଅଭିନବ ପଦକ୍ଷେପ
ମାଲକାନଗିରି, ୩ ଜୁନ୍: ଜିଲ୍ଲାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ସର୍ବବ୍ୟାପୀ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଭୋଟରମାନଙ୍କ ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନର ତୃତୀୟ ଦିବସରେ ୮୫ ଓ ୯୦ ବର୍ଷରୁ ଅଧିକ ବୟସ୍କ ମତଦାତାଙ୍କ ଘରେ ପହଞ୍ଚି ସେମାନଙ୍କୁ ନିର୍ବାଚନୀ ସେବା ଯୋଗାଇ ଦିଆଯାଇଛି।
ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବୁଥ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ଗ୍ରାମ ପରିଦର୍ଶନ କରି ବରିଷ୍ଠ ନାଗରିକମାନଙ୍କୁ ଭେଟିବା ସହ ସ୍ୱତନ୍ତ୍ର ପରିଗଣନା ଫର୍ମ ବିତରଣ କରିଥିଲେ। ବୟସାଧିକ୍ୟ କାରଣରୁ ମତଦାନ କେନ୍ଦ୍ରକୁ ଯିବାରେ ଅସୁବିଧା ହେଉଥିବା ଭୋଟରଙ୍କ ଅଧିକାର ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ମାଥିଲି ବ୍ଲକର ଅଟଲଗୁଡା ଗ୍ରାମରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓଙ୍କ ତତ୍ତ୍ୱାବଧାନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାରେ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରମାନଙ୍କୁ ଚିହ୍ନଟ କରି ସମ୍ମାନର ସହ ନିର୍ବାଚନୀ ଫର୍ମ ପ୍ରଦାନ କରାଯାଇଥିଲା।
ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିବା ବେଳେ, ନିର୍ବାଚନ ପ୍ରକ୍ରିୟାରେ କୌଣସି ଯୋଗ୍ୟ ଭୋଟର ବାଦ୍ ନପଡ଼ିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତଙ୍କୁ ବରିଷ୍ଠ ଓ ଭିନ୍ନକ୍ଷମ ଭୋଟରଙ୍କ ସହଯୋଗ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛି।