କେନ୍ଦୁଝରରେ ସ୍ୱଚ୍ଛତାର ସହ ଅନୁଷ୍ଠିତ ହେଲା ବିଦେଶୀ ମଦ ଦୋକାନ ପାଇଁ ଲଟେରି ଉଠାଣ।
କେନ୍ଦୁଝରରେ ସ୍ୱଚ୍ଛତାର ସହ ଅନୁଷ୍ଠିତ ହେଲା ବିଦେଶୀ ମଦ ଦୋକାନ ପାଇଁ ଲଟେରି ଉଠାଣ।
କେନ୍ଦୁଝର, ଜୁନ୍ ୨: କେନ୍ଦୁଝର ଜିଲ୍ଲାରେ ବିଦେଶୀ ମଦ ଦୋକାନ ଆବଣ୍ଟନ ପାଇଁ ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଲଟେରି ଉଠାଣ ପ୍ରକ୍ରିୟା ସଫଳତା ଓ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଯାଇଛି।
ଜିଲ୍ଲା ସାରା ଥିବା ୬୦ଟି ବିଦେଶୀ ମଦ ଦୋକାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୪ ଗୋଟି ଦୋକାନ ପାଇଁ କୌଣସି ଆବେଦନ ହୋଇନଥିଲା। ବାକି ୫୬ ଗୋଟି ଦୋକାନ ଆବଣ୍ଟନ ପାଇଁ ୭୭୫ ଜଣ ଆବେଦନକାରୀଙ୍କଠାରୁ ସମୁଦାୟ ୧,୧୬୩ଟି ଆବେଦନ ପ୍ରାପ୍ତ ହୋଇଥିଲା ।
ଚୟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରି ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା, ଅଭିଳାଷ ପୁରୋହିତ, ଜିଲ୍ଲା ଅବକାରୀ ଅଧିକ୍ଷକ ତେଜରାଜ ଜାନି ଓ ଅନ୍ୟ ଅଧିକାରୀ ଏବଂ ଆବେଦନକାରୀଙ୍କ ଉପସ୍ଥିତିରେ ଆଖିରେ କଳା ପଟି ପରିଧାନ କରି ଏହି ଲଟେରି ଉଠାଣ କରାଯାଇଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା।
ଆବେଦନକାରୀମାନଙ୍କ ପ୍ରତ୍ୟକ୍ଷ ସହଭାଗିତାରେ ସମଗ୍ର ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ମଦ ଦୋକାନଗୁଡ଼ିକର ନିରପେକ୍ଷ ଏବଂ ସମାନ ଆବଣ୍ଟନ ସୁନିଶ୍ଚିତ କରିବା ପାଇଁ ଲଟେରି ବ୍ୟବସ୍ଥା ଆପଣାଯାଇଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଲଟେରି ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିବାରୁ ଜିଲ୍ଲା ପ୍ରଶାସନ ସନ୍ତୋଷ ବ୍ୟକ୍ତ କରିବା ସହ ସମଗ୍ର କାର୍ଯ୍ୟକ୍ରମରେ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବାରେ ସହଯୋଗ କରିଥିବା ସମସ୍ତ ଅଂଶୀଦାରମାନଙ୍କୁ ସାଧୁବାଦ ଜଣାଇଛନ୍ତି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।