ଜିତୁ ମୁଣ୍ଡା ଘଟଣାଠୁ ଅଧିକ ହୃଦୟବିଦାରକ ବୈଲୋଚନ ହୋଟେଲରେ ବାସନ ମାଜିବା ଘଟଣା!
ଜିତୁ ମୁଣ୍ଡା ଘଟଣାଠୁ ଅଧିକ ହୃଦୟବିଦାରକ ବୈଲୋଚନ ହୋଟେଲରେ ବାସନ ମାଜିବା ଘଟଣା!
କେନ୍ଦୁଝର, ତା୨/୫-(ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ସାହୁ) - କେନ୍ଦୁଝର ଜିଲ୍ଲାର ଜିତୁ ମୁଣ୍ଡା ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇ ମୃତ ଭଉଣୀର କଙ୍କାଳ ବୋହିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ମେଧାବୀ ଛାତ୍ର +୨, କଳା ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖି ଉଚ୍ଚଶିକ୍ଷା ନିମନ୍ତେ ହୋଟେଲରେ ବାସନ ମାଜି ଅର୍ଥ ସଂଗ୍ରହ କରୁଥିବା ଘଟଣା ଅକ୍ଷର ଓଡ଼ିଶା ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ମେଧାବୀ ଛାତ୍ର ବୈଲୋଚନର ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସ୍ବେଚ୍ଛାସେବୀ ସଂଗଠନ ସହାୟତା ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ କେବଳ ବୈଲୋଚନକୁ ଫୋନ ଯୋଗେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ନିଜର କର୍ତ୍ତବ୍ୟ ସାରିଦେଇଥିବା ମନେହୁଏ। କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାଂଶପାଳ ବ୍ଲକ ବାରହାଗଡ ପଞ୍ଚାୟତ ନଡ଼ାମ ଗ୍ରାମର ମେଧାବୀ ଜୁଆଙ୍ଗ ଛାତ୍ର ବୈଲୋଚନ ଜୁଆଙ୍ଗ। ପାଠ ପଢି ପୋଲିସ ଅଧିକାରୀ ହେବାକୁ ସ୍ବପ୍ନ ଦେଖୁଛି ସେ। ବାପା କୀର୍ତ୍ତନ ଜୁଆଙ୍ଗ ଅତ୍ୟନ୍ତ ଗରିବ ହୋଇଥିବାରୁ ପାଠ ପଢ଼ାଇବା ଦୂରର କଥା, ଭଲରେ ପିଲାମାନଙ୍କୁ ପେଟପୂରା ଖାଇବାକୁ ଦେବା ସମ୍ଭବ ହୁଏନାହିଁ ତାଙ୍କ ପକ୍ଷରେ। କିନ୍ତୁ ସମସ୍ତ ଅଭାବ ଅସୁବିଧା ସତ୍ତ୍ୱେ ବୈଲୋଚନ ହାର ମାନି ନାହିଁ। ପାଠ ପଢି ପୋଲିସ ଅଧିକାରୀ ହେବାକୁ ହୋଟେଲରେ ଖାଦ୍ୟ ପରଷି, ଅଇଁଠା ବାସନ ଉଠାଇ ଏଵଂ ବାସନ ମାଜି ଅର୍ଥ ସଂଗ୍ରହ କରୁଛି। ସେହି ଘଟଣା ଅକ୍ଷର ଓଡ଼ିଶା ଜିଲ୍ଲା ପ୍ରତିନିଧି ଦିଲ୍ଲୀପ କୁମାର ସାହୁଙ୍କ ନଜରକୁ ଆସିବା ପରେ, ଅନ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇ ଅକ୍ଷର ଓଡ଼ିଶାରେ ପ୍ରକାଶ କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ଏଵଂ ସ୍ବେଚ୍ଛାସେବୀ ସଂଗଠନ ବୈଲୋଚନର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ବୈଲୋଚନ ସହ ଯୋଗାଯୋଗ କରି ସମସ୍ତ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଡିଏର କେହି ଜଣେ ଅଧିକାରୀ ଏଵଂ ଜିଲ୍ଲା ମଙ୍ଗଳ ଅଧିକାରୀ ଫୋନ ଯୋଗେ ବୈଲୋଚନକୁ ଯୋଗାଯୋଗ କରି ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ପରାମର୍ଶ ଦେବା ସହ ବୈଲୋଚନକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରସାଶନ ପକ୍ଷରୁ କେହି ଏଯାବତ ପହଞ୍ଚି ନାହାନ୍ତି ବୈଲୋଚନ ପାଖରେ। ସରକାର ବିରଳ ଜନଜାତି ଜୁଆଙ୍ଗ ମାନଙ୍କ ବିକାଶ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ଯ ତାର ସୁଫଳ ପାଉନାହାନ୍ତି ଜୁଆଙ୍ଗ ମାନେ।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତିଙ୍କ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଅସାଧୁ ସ୍ୱଭାବ ଯୋଗୁଁ ସୁଫଳ ପାଉନାହାନ୍ତି ଗରୀବ ଜନଜାତି ଶ୍ରେଣୀର ଲୋକମାନେ। ପୃଥିବୀର ବିରଳ ଜନଜାତି ଜୁଆଙ୍ଗ ମାନଙ୍କ ସାମଗ୍ରିକ ବିକାଶ ପାଇଁ ବହୁ ଅର୍ଥ ବ୍ୟୟ ହେଉଛି ସରକାରଙ୍କ ରାଜକୋଷରୁ। କିନ୍ତୁ ସେହି ସବୁ ଅର୍ଥ ଯାଉଛି କୁଆଡ଼େ? ଗରୀବ ଜୁଆଙ୍ଗ ମାନଙ୍କ ବିକାଶ ହେଉନାହିଁ କାହିଁକି? ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଜନସାଧାରଣଙ୍କ ମନରେ। ଖଣ୍ଡାଧାର ନିଉଜ।