ସିଟିଜିର ଯୁକ୍ତ ୨ ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ସମ୍ମାନିତ ହେଲେ।
ସିଟିଜିର ଯୁକ୍ତ ୨ ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ସମ୍ମାନିତ ହେଲେ।
The Sambad ଦ୍ୱାରା ଆୟୋଜିତ “+2 Champs 2026” କାର୍ଯ୍ୟକ୍ରମରେ ସିଟିଜିର କୃତୀ ଛାତ୍ରଛାତ୍ରୀଙ୍କ ସଫଳତାକୁ ରାଜ୍ୟସ୍ତରୀୟ ସ୍ୱୀକୃତି
କେନ୍ଦୁଝର -୨/୬(ଖଣ୍ଡାଧାର ନିଉଜ) କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ, ନ୍ୟୁ କଲୋନୀ (+2) ର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟସ୍ତରରେ ସଂସ୍ଥାର ନାମକୁ ଗୌରବାନ୍ୱିତ କରିଛନ୍ତି। ଏହି କୃତୀ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ସ୍ୱୀକୃତି ପ୍ରଦାନ କରି ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର “The Sambad” ପକ୍ଷରୁ ଆୟୋଜିତ “+2 Champs 2026” କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି।
ଏହି ଉଲ୍ଲେଖନୀୟ ସଫଳତା ପଛରେ ରହିଛି ଛାତ୍ରଛାତ୍ରୀଙ୍କ ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମ। ସେହିପରି ସଂସ୍ଥାର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ନିରନ୍ତର ମାର୍ଗଦର୍ଶନ, ଉତ୍ସାହ ପ୍ରଦାନ ଏବଂ ଗୁଣାତ୍ମକ ଶିକ୍ଷାଦାନ ଏହି ସଫଳତାକୁ ସମ୍ଭବ କରିଛି। ଅଭିଭାବକମାନଙ୍କ ସହଯୋଗ ଓ ବିଶ୍ୱାସ ମଧ୍ୟ ଏହି କୃତିତ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସିଟିଜି ଫାଉଣ୍ଡେସନର ପ୍ରତିଷ୍ଠାତା ରୋଟାରିଆନ୍ ଡ଼ଃ ରାଜେନ୍ଦ୍ର କୁମାର ପଲେଇଙ୍କ ଦୂରଦର୍ଶୀ ନେତୃତ୍ୱ, ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ନିରନ୍ତର ପ୍ରୟାସ ସଂସ୍ଥାକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇଛି। ତାଙ୍କର ନେତୃତ୍ୱରେ ସିଟିଜି ଆଜି ଶିକ୍ଷା, ଶୃଙ୍ଖଳା, ନୈତିକ ମୂଲ୍ୟବୋଧ ଏବଂ ନେତୃତ୍ୱ ବିକାଶର ଏକ ଅନନ୍ୟ କେନ୍ଦ୍ର ଭାବେ ପରିଚିତ।
ଏହି ଗୌରବମୟ ସଫଳତା ପାଇଁ ରୋଟାରିଆନ୍ ଡ଼ଃ ରାଜେନ୍ଦ୍ର କୁମାର ପଲେଇ, ସଂସ୍ଥାର ପରିଚାଳନା କମିଟି, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଅଭିଭାବକମାନେ କୃତୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କ ଭବିଷ୍ୟତ ଜୀବନରେ ଆହୁରି ଅଧିକ ସଫଳତା କାମନା କରଛନ୍ତି l