ମାଲକାନଗିରିରେ କଂଗ୍ରେସର ସାଂଗଠନିକ ସମୀକ୍ଷା
ମାଲକାନଗିରି:୦୨/୦୬/୨୬
ଓଡ଼ିଶାରେ ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କଂଗ୍ରେସର ବରିଷ୍ଠ ନେତା, ଏଆଇସିସି ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଜେଟ୍ଟି କୁସୁମ କୁମାର ମାଲକାନଗିରି ଗସ୍ତ କରି ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାସହ ଆଗାମୀ ପଞ୍ଚାୟତ ଓ ସ୍ଥାନୀୟ ନିକାୟ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଦଳ ଏକ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରୁଥିବା ସେ ସୂଚନା ଦେଇଛନ୍ତି।
ଦକ୍ଷିଣ ଭାରତରେ କଂଗ୍ରେସର ସଫଳତା ପରେ ଏବେ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ଦଳ ବିଶେଷ ନଜର ରଖିଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର କଂଗ୍ରେସ କମିଟି, ବ୍ଲକ୍ ସ୍ତରୀୟ ପଦାଧିକାରୀ ଏବଂ SIR (BLA-1 & BLA-2) ମାନଙ୍କର ଦାୟିତ୍ୱକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦଳୀୟ ନେତାଙ୍କ କହିବା ଅନୁସାରେ, ଓଡ଼ିଶାର ପ୍ରାୟ ୯ଟି ଜିଲ୍ଲା ଗସ୍ତ କରି ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ କାର୍ଯ୍ୟ କରାଯାଉଛି। ଏହା ପୂର୍ବରୁ କୋରାପୁଟ ଜିଲ୍ଲାର ସମୀକ୍ଷା ଶେଷ ହୋଇଥିବା ବେଳେ ଆଗକୁ ନବରଙ୍ଗପୁରରେ ମଧ୍ୟ ବୈଠକ କରାଯିବ।
ତେବେ ମାଲକାନଗିରି ଜିଲ୍ଲାରେ ଦଳର ବର୍ତ୍ତମାନର ସାଂଗଠନିକ ସ୍ଥିତିକୁ ନେଇ ଶୀର୍ଷ ନେତୃତ୍ୱ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ଯେଉଁ ପଦାଧିକାରୀମାନେ ସକ୍ରିୟ ଭାବେ କାର୍ଯ୍ୟ କରୁନାହାନ୍ତି, ସେମାନଙ୍କୁ ବଦଳାଇ ନୂଆ ଏବଂ ଯୁବ ଚେହେରାଙ୍କୁ ସୁଯୋଗ ଦିଆଯିବ ବୋଲି ଦଳ ସ୍ପଷ୍ଟ କରିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ କଂଗ୍ରେସର ଏକ ସକାରାତ୍ମକ ମାହୋଲ ତିଆରି ହେଉଥିବା ବେଳେ, ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦଳୀୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ପିସିସି ଉପ-ସଭାପତି ଶ୍ରୀ ମନୋରଞ୍ଜନ ତ୍ରିପାଠୀ, ଶ୍ରୀ କୃଷ୍ଣ କୁଲଦୀପ ଏବଂ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ବିଗତ ନିର୍ବାଚନର କିଛି ତ୍ରୁଟିବିଚ୍ୟୁତିକୁ ସୁଧାରି ଆଗାମୀ ପଞ୍ଚାୟତ ନିର୍ବାଚନ ଓ ୨୦୨୯ରେ ଦଳ କିପରି ଓଡ଼ିଶାରେ ଶାସନ ଗାଦିକୁ ଫେରିବ, ତାହା ଉପରେ ଏବେଠାରୁ ରଣନୀତି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଏହି ସମୀକ୍ଷା ପ୍ରକ୍ରିୟା ବ୍ଲକ୍ ଏବଂ ନିର୍ବାଚନମଣ୍ଡଳୀ ସ୍ତରରେ ମଧ୍ୟ ଜାରି ରହିବ।