logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଚରମ ଅବ୍ୟବସ୍ଥା: ଚେୟାର ନାହିଁ ବୋଲି ତଳେ ବସୁଛନ୍ତି ବରିଷ୍ଠ ନାଗରିକ, କାହା ପାଇଁ ଏ ଏସି ରୁମ୍?

ସରକାରୀ ବାବୁଙ୍କ ପାଇଁ ଶୀତଳତାପ ନିୟନ୍ତ୍ରିତ କୋଠରୀ ଏବଂ ଦାମୀ ଆରାମଦାୟକ ଚେୟାର। ହେଲେ ଯେଉଁ ଜନସାଧାରଣଙ୍କ ଟିକସ ଟଙ୍କାରେ ଏହି ବ୍ୟବସ୍ଥା ଚାଲିଛି, ସେମାନଙ୍କ ପାଇଁ ସାଧାରଣ ଖଣ୍ଡେ ଚେୟାର ମଧ୍ୟ ନାହିଁ। ଏଭଳି ଏକ ଚିନ୍ତାଜନକ ତଥା ଲଜ୍ଜାଜନକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ। ଦିନକୁ ଦିନ ଏଠାରେ ଅବ୍ୟବସ୍ଥା ସୀମା ପାର କରୁଥିବା ବେଳେ ପ୍ରଶାସନର ଅମାନବୀୟ ଚେହେରା ପଦାରେ ପଡ଼ିଛି। ଚମ୍ପୁଆ ଭଳି ଏକ ପ୍ରମୁଖ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କାର୍ଯ୍ୟାଳୟକୁ ପ୍ରତିଦିନ ଶହ ଶହ ଲୋକ ନିଜର ସମସ୍ୟା ନେଇ ଆସନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ସମସ୍ୟାର ସମାଧାନ ପାଇଁ ନାଗରିକ ଏବଂ ପ୍ରତିନିଧିମାନେ ବୈଠକ ଗୃହକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ସେହି ଗୁରୁତ୍ୱପୂର୍ଣ୍ଣ ବୈଠକ ଗୃହରେ ବସିବା ପାଇଁ ଖଣ୍ଡେ ଚେୟାର ନାହିଁ। ବାଧ୍ୟ ହୋଇ ସାଧାରଣ ଲୋକେ ଓ ପ୍ରତିନିଧିମାନେ ତଳେ ବସୁଥିବା ଦେଖିବାକୁ ମିଳିଛି ।କାର୍ଯ୍ୟାଳୟର ଏହି ଅବହେଳା ଯୋଗୁଁ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି ବରିଷ୍ଠ ନାଗରିକ ଏବଂ ବୃଦ୍ଧବୃଦ୍ଧାମାନେ। ଯେଉଁ ବୟସରେ ସେମାନଙ୍କୁ ସମ୍ମାନ ଓ ସହଯୋଗ ମିଳିବା କଥା, ସରକାରୀ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ସେମାନଙ୍କୁ ଭୂଇଁରେ ବସିବାକୁ ପଡ଼ୁଛି। ସରକାରୀ ଗୃହରେ ସର୍ବସାଧାରଣଙ୍କ ପାଇଁ ସର୍ବନିମ୍ନ ବସିବା ବ୍ୟବସ୍ଥା ନରହିବା କାର୍ଯ୍ୟାଳୟର ସମ୍ମାନ ଏବଂ ଲୋକଙ୍କ ସରକାର ଓ ନାଗରିକ-କେନ୍ଦ୍ରିକ ଶାସନ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅପାରଗତା ଓ ପ୍ରଶାସନିକ ଅବହେଳା କାରଣରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି। ବଡ଼ ବଡ଼ ପ୍ରକଳ୍ପର ଡିଣ୍ଡିମ ପିଟୁଥିବା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କୁ କ’ଣ ଲୋକଙ୍କ ପାଇଁ କିଛି ଚେୟାର କିଣିବାକୁ ପାଣ୍ଠି ମିଳୁନାହିଁ, ନା ସେମାନଙ୍କ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱବୋଧ ମରିଯାଇଛି । ଜନସାଧାରଣ ଙ୍କ କହିବା କଥା ବୈଠକ ଗୃହରେ ତୁରନ୍ତ ପର୍ଯ୍ୟାପ୍ତ ସଂଖ୍ୟକ ଚେୟାର ଓ ଆସନର ବ୍ୟବସ୍ଥା କରାଯାଉ। କାର୍ଯ୍ୟାଳୟକୁ ଆସୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଓ ପାନୀୟ ଜଳର ବ୍ୟବସ୍ଥା ହେଉ। ଏହି ଘଟଣା ପ୍ରତି ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ।

0
198 views

Comment