logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହୋଲି ଫେରିଗଲା ପରେ... ଭଭାରତୀ ହୋତା ଙ୍କ ଦ୍ଵାରା ସ୍ବରଚିତ କବିତା।

ହୋଲି ଫେରିଗଲା ପରେ...
******
ହୋଲି ଆସିଛି
ପଲ୍ଲୀରୁ ସହର
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ
ଅତୀତର ମାନ ଅଭିମାନକୁ
ସମାଧି ଦେଇ ପ୍ରେମର ଫଲ୍ଗୁରେ,
ଭାଇଚାରାର ବନ୍ଧନରେ ।

ହୋଲି ଆସିଛି
ଚପଳ ଛନ୍ଦରେ,
କିଶଳୟର ସବୁଜ ପର୍ଣ୍ଣ,
ବଉଳର ମହ ମହ ବାସ୍ନା
ସୁନାରୀ ଗଛର ସୁନା ଚାମର
ମହୁଲ ଫୁଲର ମହୁ
ପଲାଶ ସିମୁଳି ଫୁଲର
ରକ୍ତିମ ବର୍ଣ୍ଣ ବିଭାରେ ।

ହୋଲି ଆସିଛି
ସପ୍ତ ରଙ୍ଗର ପସରା ନେଇ
ମୃଦୁ ମଳୟର ରାଗିଣୀ ଗାଇ
ଫଗୁଣର ରଙ୍ଗ ସହ କୋଇଲିର କୁଜନରେ
ହଳଦୀବସନ୍ତର ମଧୁର ସ୍ଵନରେ,
ପ୍ରକୃତିର ଅପୂର୍ବ ରୂପ ସମ୍ଭାରରେ ।

ହୋଲି ଆସିଛି
ମୋ ଗାଁ ଦାଣ୍ଡରେ
ରାଇ ଦାମୋଦର ଝୁଲଣ ଦୋଳିରେ
ସାତରଙ୍ଗର ଅବିର ପସରା ମେଳି
ରଙ୍ଗ ପିଚକାରୀରେ
ଆବାଳ ବୃଦ୍ଧବନିତାଙ୍କ ମିଳନ ଖୁସିରେ ।

କିନ୍ତୁ,
ଆସି ପାରିନି କାହିଁ ହୋଲି
ମୋ ଗାଁର ସେଇ ଗଳିରେ
ଛୁଇ ମାଟି ଲିପା ଭଙ୍ଗା କାନ୍ଥରେ
ଦଦରା ପଣତର ସାତ ସିଆ ଗଣ୍ଠିରେ। ।

ଆସି ପାରିନି ହୋଲି
ବିଗତ କାଳ ରାତ୍ରିରେ
ପୋଛା ହୋଇଥିବା
ଅଭାଗିନୀର ସୀମନ୍ତରେ
ମା'ର ଉଜୁଡ଼ା କୋଳରେ
ଅବୋଧ ପିତୃହରା ଶିଶୁର କୁନି ଦୁନିଆରେ ।

ଆଉ...
ଆସିପାରିନି ହୋଲି
ସେଠିକି
ମୋ ଗାଁ ମୁଣ୍ଡ ର ବରଗଛ ତଳେ ବସି
ନିଜଜୀବନର ଶେଷ ଦିନ ଗଣୁଥିବା
ଅସମର୍ଥ ବୁଢ଼ା ବାପର ଆଖିରେ ।।

ଭାରତୀ ହୋତା
ଖରିଆର ରୋଡ଼
ନୂଆପଡ଼ା l

(ସୌଜନ୍ୟ ଖଣ୍ଡାଧାର ନିଉଜ)

12
239 views

Comment