ସେ ଫେରିବେ ବୋଲି - ଶାଶ୍ବତୀ ହୋତା ଙ୍କ ଦ୍ଵାରା ସ୍ବରଚିତ କବିତା।
ସେ ଫେରିବେ ବୋଲି...!!
-------------------------------
ସେ ଆଜି ଗାଁକୁ ଫେରିବେ ବୋଲି
କାଲି ରାତିରେ
ରାତିକୁ ମୁ ଦିନ କରି ଦେଲି....
କଇଁ ଠୁ ଅନୁମତି ନେଇ
ଜହ୍ନକୁ ଟିକିଲି କରି ମଥାରେ ନାଇଲି
ତାରା ସବୁକୁ ଗୋଟି ଗୋଟି କରି ତୋଳି
ଆମ ଅଗଣା ପିଣ୍ଢାରେ ସଜେଇ ଦେଲି...
ସୂର୍ଯ୍ୟ ମୁଖିର ସାହାଯ୍ୟରେ ମନେଇ
ସୂର୍ଯ୍ୟକୁ ସମୟ ପୂର୍ବରୁ
ଦୂର ପାହାଡ଼ ଶିଖରରେ ଉଏଁଇଲି
ରଜନୀଗନ୍ଧା ପାଲଟିଲା ମଲ୍ଲୀ,
ଗୋଲାପ ରୂପରେ ଗଙ୍ଗଶିଉଳିକୁ ଆଙ୍କି ଦେଲି
ମୋତି ପରି ଝଟକୁଥିବ ବୋଲି
ପୋଛା ପୋଛି ନକରି ଶିଶିର ବୁନ୍ଦା ତକକୁ
ସେଇମିତି ପତରେ ପତରେ ଛାଡିଦେଲି ।।
ସେ ଆଜି ଗାଁକୁ ଫେରିବେ ବୋଲି
କାଲି ,ଘଡ଼ିକୁ ଲାଞ୍ଚ ଦେଇ ମୁଁ
ଘଣ୍ଟା କଣ୍ଟାକୁ ଆଗୁଆ କରେଇଦେଲି...
ପେଚାକୁ ନିଦ ବଟିକା ଦେଇ
ଗାଁ ସାରାର ପକ୍ଷୀ ଗହଳକୁ ନିଦରୁ ଉଠେଇ ଦେଲି
ପବନକୁ ତାଙ୍କ ଆସୁଥିବା ବାଟର
ଟିକିନିକି ଅବସ୍ଥାନ ବୁଝିବାର ଦାୟିତ୍ଵ ଦେଇ
ଆଖି ଯୁଗଳକୁ ଦୁଆର କବାଟ ଆଗରେ
ଜଗୁଆଳି କରି ଥୋଇ ଦେଲି ।।
ତାଙ୍କ ସ୍ୱାଗତରେ ଖିଆଲି ସପନର
ଏତେ ସବୁ ଆୟୋଜନ କରୁ କରୁ
ସେଇ ଆକାଶ ନା ପାହାଡ ଉହାଡରେ
ଅଗଣା ନା ଚଢ଼େଇ ନିଡ଼ରେ
କୋଉ ଆଲମିରା ଥାକ ଅବା
କବାଟ ଫାଙ୍କରେ
ରାତି ସାରା ଖୋଜି ବୁଲିଲି
କିନ୍ତୁ , କେଜାଣି କଉଠି ଯେ ମୋ
ନିଦକୁ ହଜେଇ ବସିଲି...!?
(ଶାଶ୍ଵତୀ ହୋତା)
(ସାଗୁନଭାଡ଼ି,ନୂଆପଡ଼ା)
(ସୌଜନ୍ୟ ଖଣ୍ଡାଧାର ନିଉଜ)