ଧନୀ ନିର୍ବାଚନ ମଣ୍ଡଳୀର କଙ୍ଗାଳ ଚିତ୍ର: ଚମ୍ପୁଆ ଏନଏସିରେ ବିକାଶ 'ବାଟବଣା', ଜନତାଙ୍କ ଟଙ୍କାରେ ବାବୁଙ୍କ ମଉଜ
ଓଡ଼ିଶାର ଅନ୍ୟତମ ସମୃଦ୍ଧ ତଥା ଧନୀ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ କେନ୍ଦୁଝର ଜିଲ୍ଲାର ଚମ୍ପୁଆ। କିନ୍ତୁ ଏହି ହାଇପ୍ରୋଫାଇଲ୍ ଅଞ୍ଚଳର ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚିତ୍ର ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। କାଗଜପତ୍ରରେ ବିକାଶର ନଈ ବହୁଥିବା ବେଳେ ବାସ୍ତବରେ ଚମ୍ପୁଆ ଏନଏସି ଅଞ୍ଚଳରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଜନସାଧାରଣଙ୍କ ଟିକସ ଟଙ୍କାରେ ମୋଟା ଅଙ୍କର ଦରମା ନେଉଥିବା ଏନଏସି ର ସରକାରୀ ବାବୁମାନେ ଜନତାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏନଏସିର ମୁଖ୍ୟ ଦାୟିତ୍ୱ ହେଉଛି ସହରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମିର ବିକାଶ। କିନ୍ତୁ ଚମ୍ପୁଆ ଏନଏସିର ରାସ୍ତାଘାଟର ଅବସ୍ଥା ନ କହିବା ଭଲ। କେଉଁଠି ପେଭର ବ୍ଲକ ଉଠିଯାଇ ନଷ୍ଟ ହେଲାଣି ତ କେଉଁଠି ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ସେହିପରି ସହରର ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ଦେବାଳିଆ। କେଉଁଠି ଷ୍ଟ୍ରିଟ୍ ଲାଇଟ୍ ଜଳୁଛି ତ କେଉଁଠି ସମ୍ପୂର୍ଣ୍ଣ ଅନ୍ଧାର। ସଂଧ୍ୟା ହେଲେ ଅନ୍ଧାର ଗଳିକନ୍ଦିରେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ଜମୁଛି, ଯାହା ସ୍ଥାନୀୟ ଲୋକଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ଏନଏସିର କର୍ତ୍ତବ୍ୟ। କିନ୍ତୁ ସାରା ସହର ପାଇଁ ମାତ୍ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଜଳଛତ୍ର ଖୋଲି ଏନଏସି କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରିଦେଇଛନ୍ତି। ଚମ୍ପୁଆର ସବୁଠାରୁ ବ୍ୟସ୍ତବହୁଳ ଓ ମୁଖ୍ୟ ପ୍ରାଣକେନ୍ଦ୍ର ହେଉଛି 'ଚମ୍ପୁଆ ବସଷ୍ଟାଣ୍ଡ'। ଦୈନିକ ହଜାର ହଜାର ଯାତ୍ରୀ ଏଠାକୁ ଆସୁଥିବା ବେଳେ ବସଷ୍ଟାଣ୍ଡଟି ଆଜି ସମ୍ପୂର୍ଣ୍ଣ ଅବହେଳିତ। ସରକାରୀ ବାବୁମାନଙ୍କ ଆଖିରେ ବସଷ୍ଟାଣ୍ଡର ଦୁର୍ଦ୍ଦଶା କେମିତି ପଡୁନାହିଁ, ତାହାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।
ଜନତାଙ୍କ ଅଭିଯୋଗ:"ଆମ ଟ୍ୟାକ୍ସ ଟଙ୍କାରେ ବାବୁମାନେ ଦରମା ପାଉଛନ୍ତି, କିନ୍ତୁ ଆମେ ସମସ୍ୟା ନେଇ ଗଲେ ସେମାନେ ଶୁଣିବା ବଦଳରେ ଓଲଟା ଧମକ ଦେଇ ଘଉଡ଼ାଇ ଦେଉଛନ୍ତି।" ସବୁଠାରୁ ଗମ୍ଭୀର ବିଷୟ ହେଉଛି, ରାଜ୍ୟ ସରକାର ସହରାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଉଥିବା ବେଳେ ଏଠାକାର ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ସାଧାରଣ ଲୋକେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହେଉଛନ୍ତି। ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି ଯେ, ଏନଏସିର କିଛି ସରକାରୀ ବାବୁ ମାନେ ଜାଣିଶୁଣି କାମ ନକରି ସରକାରଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ ଭିତରେ ଭିତରେ ଚକ୍ରାନ୍ତ କରୁଛନ୍ତି। ଚମ୍ପୁଆ ଏନଏସିର ଏଭଳି ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ନୀତି ବିରୋଧରେ ଏବେ ଜନଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ଜିଲ୍ଲାପାଳ ଏବଂ ରାଜ୍ୟ ନଗର ଉନ୍ନୟନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରି, ତଦନ୍ତ ପୂର୍ବକ ଏହି ଅକର୍ମଣ୍ୟ ସରକାରୀ ବାବୁମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚମ୍ପୁଆବାସୀ ଦାବି କରିଛନ୍ତି।