logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୋଗରାଇରେ ଟାଟା ପାୱାରର ଦାଦାଗିରି ସରକାରୀ ପୋର୍ଟାଲରେ ଅଭିଯୋଗ କରିବାରୁ ପ୍ରତିଶୋଧ ନେଲା ଟାଟା ପାୱାର! ୨ ବର୍ଷର ଲାପରବାହୀ ଲୁଚାଇବାକୁ ଭିନ୍ନକ୍ଷମଙ୍କ ଘରୁ କାଟିନେଲେ ତାର!

ଭୋଗରାଇ (ବାଲେଶ୍ଵର):

ଗୋଟିଏ ପଟେ ସରକାର ବିଦ୍ୟୁତ ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇଦେବା ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ, ଅନ୍ୟପଟେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବିଦ୍ୟୁତ ବିଭାଗ TPNODL (Tatapower)ର ସଂବେଦନହୀନତା ଏବଂ ପ୍ରତିଶୋଧପରାୟଣ ମନୋଭାବର ଏକ ସଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଏଠାକାର କମାରଗୋଡ଼ିଆ ଗ୍ରାମର ଜଣେ ମାନସିକ ସ୍ତରରେ ଦୁର୍ବଳ (ଭିନ୍ନକ୍ଷମ) ବ୍ୟକ୍ତି ଶ୍ରୀ ଗଣେଶ ଦାସ, ଗତ ଦୁଇ ବର୍ଷ ହେବ ଏକ ବୈଧ ବିଦ୍ୟୁତ ସଂଯୋଗ ପାଇଁ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏହି ସମସ୍ୟା ବିଷୟରେ ଜଳେଶ୍ୱର ସବ-ଡିଭିଜନାଲ ଅଫିସର (SDO) ଙ୍କୁ ଲିଖିତ ଭାବେ WHATSAPP ରେ ଜଣାଇଥିଲେ। ଏସଡିଓ ଏହି ମାମଲାର ତଦନ୍ତ (Enquiry) ମଧ୍ୟ କରିଥିଲେ, କିନ୍ତୁ ତାଙ୍କ ପକ୍ଷରୁ କୌଣସି ସମାଧାନ (Resolution) ମିଳିନଥିଲା କି ବିଦ୍ୟୁତ ସଂଯୋଗ ଦିଆଯାଇନଥିଲା
ଶେଷରେ ନ୍ୟାୟ ନମିଳିବାରୁ ସରକାରୀ ପୋର୍ଟାଲର ଦ୍ୱାରସ୍ଥ ହେବା ଗ୍ରାହକଙ୍କ ପାଇଁ ମହଙ୍ଗା ପଡ଼ିଛି ଏବଂ ବିଭାଗ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଇବା ସହ ଗ୍ରାହକଙ୍କୁ ହଇରାଣ ହରକତ କରିବା ଆରମ୍ଭ କରିଛି।

୨ ବର୍ଷ ପୂର୍ବରୁ ଜମା ହୋଇଥିଲା ଫିସ୍, ବାହାନାରେ ବିତିଲା ସମୟ:

ଘଟଣାର ସୂଚନା ଦେଇ ପୀଡ଼ିତଙ୍କ ଶଳା ଶ୍ରୀ ଅଭିଜିତ ପାତ୍ର ଜଣାଇଛନ୍ତି ଯେ, ଗଣେଶ ଦାସଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ନିଜେ ଆଗକୁ ଆସି ୧୯ ସେପ୍ଟେମ୍ବର ୨0୨୪ ରେ ବିଭାଗରେ ନୂତନ ସଂଯୋଗ ପାଇଁ ଫିସ୍ ଜମା କରିଥିଲେ। କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଟାଟା ପାୱାର ସେଠାରେ ବୈଧ ସଂଯୋଗ ଦେବାରେ ବିଫଳ ହୋଇଛି। ପ୍ରବଳ ଗରମରେ ମାନସିକ ଅସୁସ୍ଥ ଗଣେଶ ଦାସଙ୍କ ଅବସ୍ଥା ଗୁରୁତର ହେବାରୁ, ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ଅନୁମତି କ୍ରମେ ଜୀବନ ରକ୍ଷା ପାଇଁ ପରିବାର ପକ୍ଷରୁ ଏକ ଅସ୍ଥାୟୀ ତାର ଟାଣି ପଙ୍ଖାଟିଏ ଚଲାଇଥିଲେ।

ଜନ ଶୁଣାଣି ପୋର୍ଟାଲରେ ଅଭିଯୋଗ କରିବାରୁ ଆକ୍ରୋଶ ରଖିଲା ବିଭାଗ:

୨ ବର୍ଷ ଧରି ବିଦ୍ୟୁତ ନମିଳିବାରୁ ଶ୍ରୀ ଅଭିଜିତ ପାତ୍ର ନିକଟରେ ଓଡ଼ିଶା ସରକାରଙ୍କ 'ଜନ ଶୁଣାଣି' (Grievance Portal) ରେ ବିଦ୍ୟୁତ ବିଭାଗର ଅବହେଳା ବିରୋଧରେ ଏକ ଆଧିକାରିକ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗ ପରେ ଉପରିସ୍ଥ ଅଧିକାରୀଙ୍କ ଚାପ ପଡ଼ିବାରୁ ଭୋଗରାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ସୁଧୁରିବା ବଦଳରେ ପ୍ରତିଶୋଧପରାୟଣ ହୋଇଉଠିଥିଲେ। ସେମାନେ ତୁରନ୍ତ ପୀଡ଼ିତଙ୍କ ଘରେ ପହଞ୍ଚି ନିଜର ଦୋଷ ଲୁଚାଇବା ପାଇଁ ଟାଣି ହୋଇଥିବା ଅସ୍ଥାୟୀ ତାରଟିକୁ କାଟି ଜବତ କରି ନେଇଥିଲେ।

ଚୋର କହି ଧମକ, କାଲି ଅଫିସରେ ବସିବାକୁ କହିଲେ:

ପୀଡ଼ିତ ପରିବାରର ଅଭିଯୋଗ ଯେ, ସରକାରଙ୍କ ପାଖରେ କାହିଁକି ଅଭିଯୋଗ କଲ ବୋଲି ଆକ୍ରୋଶ ରଖି ଲାଇନମ୍ୟାନ ଏବଂ ବିଭାଗୀୟ କର୍ମଚାରୀମାନେ ତାଙ୍କୁ 'ବିଦ୍ୟୁତ ଚୋର' କହି ମାନସିକ ନିର୍ଯାତନା ଦେଇଛନ୍ତି ଏବଂ "ତୁମକୁ ଆଉ କେବେ ବି କନେକ୍ସନ ମିଳିବ ନାହିଁ" ବୋଲି ଧମକ ଦେଇଛନ୍ତି। କର୍ମଚାରୀମାନେ ଆସନ୍ତାକାଲି ସକାଳେ ଅଫିସକୁ ଆସି 'ବସିବା' ଏବଂ କଥା ହେବାକୁ କହିଛନ୍ତି, ଯାହା ମାମଲାକୁ ଚପାଇବା କିମ୍ବା ଅସାଧୁ ଉପାୟରେ ଚାପ ପ୍ରୟୋଗ କରିବାର ସନ୍ଦେହ ସୃଷ୍ଟି କରୁଛି।

ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ:

ସରକାରୀ ଗ୍ରୀଭାନ୍ସ ପୋର୍ଟାଲରେ ଅଭିଯୋଗ କରିବା ଯୋଗୁଁ ଗ୍ରାହକଙ୍କୁ ଏଭଳି ପ୍ରତିଶୋଧମୂଳକ ଭାବେ ହଇରାଣ କରିବା ଟାଟା ପାୱାରର ଏହି ନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଜିତ ପାତ୍ର ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ଭିନ୍ନକ୍ଷମ ଭାଇଙ୍କୁ ତୁରନ୍ତ ଆଇନଗତ ସଂଯୋଗ ନମିଳେ, ତେବେ ସେ ଏହି ସମଗ୍ର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଷୟରେ ମାନବାଧିକାର କମିଶନ, ଭିନ୍ନକ୍ଷମ କମିଶନର ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇବେ।

41
3849 views

Comment