logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିତ୍ରକୋଣ୍ଡା ପୋଷ୍ଟ ଅଫିସର ଅବ୍ୟବସ୍ଥା, ପାଇଁ ଜନସାଧାରଣ ଅସନ୍ତୁଷ୍ଟ।

ଚିତ୍ରକୋଣ୍ଡା -୧/୬/୨୬(ବିପ୍ର)ଚିତ୍ରକୋଣ୍ଡା ବ୍ଲକର ଏକ ପୁରାତନ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା କେନ୍ଦ୍ର ହେଉଛି ଚିତ୍ରକୋଣ୍ଡା ପୋଷ୍ଟ ଅଫିସ। ଏହି ପୋଷ୍ଟ ଅଫିସ ଉପରେ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ ଅଟନ୍ତି। ପ୍ରତିଦିନ ପେନସନ, ସଞ୍ଚୟ ଖାତା, ଟଙ୍କା ଜମା ଓ ଉଠାଣ, ଆଧାର ସଂଯୋଗ, ଡାକ ସେବା ସମେତ ବିଭିନ୍ନ ଜରୁରୀ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ଶତାଧିକ ଲୋକ ଏଠାକୁ ଆସିଥାନ୍ତି।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି, ଏତେ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଅଫିସରେ ଆଜି ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ନ୍ୟୁନତମ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ପୋଷ୍ଟ ଅଫିସ ସମ୍ମୁଖରେ ଖରା ଓ ବର୍ଷା ସମୟରେ ଲୋକମାନେ ଆଶ୍ରୟ ନେବା ପାଇଁ କୌଣସି ଟିଣ ଛପର କିମ୍ବା ପ୍ରତୀକ୍ଷାଳୟର ବ୍ୟବସ୍ଥା ନାହିଁ। ଫଳରେ ତୀବ୍ର ଖରା ଓ ପ୍ରବଳ ବର୍ଷା ମଧ୍ୟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।
ବିଶେଷ କରି ବୃଦ୍ଧବୃଦ୍ଧା, ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସର୍ବାଧିକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଏହାଛଡା ଫର୍ମ ପୂରଣ କିମ୍ବା ଆବେଦନ ଲେଖିବା ପାଇଁ କୌଣସି ଟେବୁଲ କିମ୍ବା ବସିବାର ସୁବିଧା ନଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଲୋକମାନେ ଭୂମିରେ କାଗଜ ରଖି ଲେଖିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ତୁରନ୍ତ ଏକ ଟିଣ ଛପର, ବସିବା ବ୍ୟବସ୍ଥା ଓ ଲେଖିବା ପାଇଁ ଟେବୁଲ ସ୍ଥାପନ କରିବାକୁ ଦାବି ଜୋର ଧରିଛି।
ଏବେ ପ୍ରଶ୍ନ ଉଠୁଛି, ଜନସାଧାରଣଙ୍କ ଏହି ମୌଳିକ ଅସୁବିଧା ପାଇଁ ଦାୟୀ କିଏ? ଲୋକଙ୍କ ଦୀର୍ଘଦିନର ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବ ପ୍ରଶାସନ? ସାଧାରଣ ଜନତା ଏହାର ଶୀଘ୍ର ସମାଧାନ ନେଇ ଆଶା ବାନ୍ଧି ବସିଛନ୍ତି।

7
169 views

Comment