ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଧୀନସ୍ଥ ବିଜାଡିହି ଗ୍ରାମରେ ସ୍ୱତନ୍ତ୍ର ସଘନ ସଂଶୋଧନ୨୦୨୬ ସଚେତନତା ଶିବିର ଅନୁଷ୍ଠିତ
ବରକୋଟ, ତା. ୦୧.୦୬.୨୦୨୬ ରିଖ:-
ବରକୋଟ ବ୍ଲକ ଅଧୀନସ୍ଥ ବିଜାଡିହି ଗ୍ରାମ, ଯାହା ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା (PBDA) ଅଧୀନସ୍ଥ ଏକ ଜନଜାତି ଅଞ୍ଚଳ, ସେଠାରେ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ସମ୍ପର୍କିତ ସଚେତନତା ଶିବିର ଓ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
ଶିବିରରେ ଗ୍ରାମବାସୀଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ର ଉଦ୍ଦେଶ୍ୟ, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ନାମ ଯୋଗ, ବିୟୋଗ ଓ ସଂଶୋଧନ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ଏହା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ସକ୍ରିୟ ସହଭାଗିତାକୁ ବୃଦ୍ଧି କରିବାକୁ ଜୋର ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ AERO-cum-BDO ଶ୍ରୀ ସୂର୍ଯ୍ୟକାନ୍ତ ବରିହା, ADWO ଶ୍ରୀମତୀ ଜାଗୃତି ନାଏକ, GPDO ଶ୍ରୀ ରଞ୍ଜିତ ଟୁଡୁ, ୩୨୩ ନମ୍ବର ବୁଥର ବୁଥ ସ୍ତରୀୟ ଅଧିକାରୀ ଶ୍ରୀ ସରଜିତ କୁମାର ସାହୁ, BLO ସୁପରଭାଇଜର ଶ୍ରୀ ଧିରେନ କୁମାର ସାହୁ ସହ ବ୍ଲକ ଓ PBDA କର୍ମଚାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଗ୍ରାମବାସୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସଚେତନ ଓ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ।
ଶିବିରରେ ଗ୍ରାମର ବହୁ ସଂଖ୍ୟକ ଲୋକ ଉପସ୍ଥିତ ହୋଇ ପରିଗଣନା ଫର୍ମ ଗ୍ରହଣ କରିଥିଲେ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ସହଯୋଗରେ ସେଗୁଡିକ ପୂରଣ କରିଥିଲେ। ବିଶେଷକରି ଦୁର୍ଗମ ଓ ଜନଜାତି ଅଞ୍ଚଳରେ ଏପରି ସଚେତନତା ଶିବିର ଲୋକମାନଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ପ୍ରତି ଆଗ୍ରହ ଓ ସଚେତନତା ବୃଦ୍ଧି କରୁଥିବା ଦେଖାଯାଇଛି।