logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବ୍ଲକରେ ବିକାଶର ଦେବାଳିଆ ଚିତ୍ର: ଚିଲିଆ ସାହିକୁ ନାହିଁ ରାସ୍ତା, 'ଯମ ଯନ୍ତ୍ରଣା' ଭୋଗୁଛନ୍ତି ୩୦ ପରିବାର ।

ଗୋଟିଏ ପଟେ ସରକାରୀ ମଞ୍ଚରୁ ଡିଣ୍ଡିମ ପିଟାଯାଉଛି 'ବିକାଶ' ଓ 'ପରିବର୍ତ୍ତନ'ର, ଅନ୍ୟପଟେ କିନ୍ତୁ ବାସ୍ତବତାର ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସ୍ୱାଧୀନତାର ଅମୃତ ମହୋତ୍ସବ ବିତିଯାଇଥିଲେ ବି ଆଜି ବି ମଧ୍ୟଯୁଗୀୟ ବର୍ବରତା ସଦୃଶ ଅନ୍ଧକାର ଭିତରେ ଜୀବନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାରିଆ ଗ୍ରାମର ଚିଲିଆ ସାହିବାସୀ। ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟର ବିଷୟ ହେଉଛି, ଏହି ଅଞ୍ଚଳଟି ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ବ୍ଲକ ପରିସରଭୁକ୍ତ। ମୁଖ୍ୟମନ୍ତ୍ରୀଙ୍କ ଇଲାକାରେ ପ୍ରଶାସନିକ ଅବହେଳାର ଏଭଳି ଚରମ ସୀମା ସ୍ଥାନୀୟ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୂଳ ଗାଁ ବାରିଆ ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଚିଲିଆ ସାହିରେ ୩୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ବସବାସ କରନ୍ତି। ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଜଙ୍ଗଲ ମଧ୍ୟ ଦେଇ ଏହି ସାହିକୁ ଯିବା ପାଇଁ କେବଳ ଏକ ଅଣଓସାରିଆ ପାଦଚଲା ରାସ୍ତା ହିଁ ଏକମାତ୍ର ସାହାରା। ଖରା ଦିନେ ଯେନତେନ ପ୍ରକାରେ ଲୋକେ ଚଳିଯାଉଥିବା ବେଳେ ବର୍ଷା ଦିନ ଆସିଲେ ଏଠାରେ ନର୍କର ଦୃଶ୍ୟ ସୃଷ୍ଟି ହୁଏ। କାଦୁଅ ପଚପଚ ରାସ୍ତାରେ ଚାଲିବା ଅସମ୍ଭବ ହୋଇପଡୁଥିବାରୁ କୋମଳମତି ଛାତ୍ରଛାତ୍ରୀମାନେ ବର୍ଷା ଦିନେ ସ୍କୁଲ ଯାଇପାରନ୍ତି ନାହିଁ। ଫଳରେ ସେମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। କେଉଁ ଅଧିକାରରେ ଏହି ଶିଶୁମାନଙ୍କ ଶିକ୍ଷାର ଅଧିକାରକୁ ଛଡ଼ାଇ ନିଆଯାଉଛି, ତାହାର ଜବାବ ସରକାରୀ ବାବୁମାନଙ୍କ ପାଖରେ ଅଛି କି? ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଠାକାର ଚିତ୍ର ଦେଖିଲେ ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତିଙ୍କ ଆଖିରେ ଲୁହ ଚାଲିଆସିବ। ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଆସିବା ଏକ ସ୍ୱପ୍ନ। ରୋଗୀ କିମ୍ବା ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣିବା ପାଇଁ ଗ୍ରାମବାସୀଙ୍କୁ ବାଧ୍ୟ ହୋଇ ଖଟିଆରେ ବୋହିବାକୁ ପଡ଼ିଥାଏ। ଜଙ୍ଗଲିଆ କାଦୁଅ ରାସ୍ତାରେ ପ୍ରାୟ ଏକ କିଲୋମିଟର ଦୂର ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆରେ ବୋହି ଆଣିବା ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ରହିବ? ଏଭଳି ଅନେକ ସଂବେଦନଶୀଳ ଘଟଣା ଘଟି ସାରିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ 'କୁମ୍ଭକର୍ଣ୍ଣ' ନିଦ୍ରାରେ ଶୋଇରହିଛି । ଗ୍ରାମବାସୀଙ୍କ କହିବା କଥା ଯେ ପ୍ରଶାସନ ନିକଟରେ ଆମ ଅଭିଯୋଗର କୌଣସି ମୂଲ୍ୟ ନାହିଁ। ଆମେ ଭୋଟ୍ ଦେବା ପାଇଁ କେବଳ ନାଗରିକ, ହେଲେ ସୁବିଧା ପାଇବା ବେଳକୁ ଆମେ କେହି ନୁହେଁ। ରାସ୍ତା ନିର୍ମାଣ ନହେବା ପଛରେ ବାରିଆ ସରପଞ୍ଚ ଏବଂ ସ୍ଥାନୀୟ ପ୍ରତିନିଧି 'ରିଜର୍ଭ ଜଙ୍ଗଲ ଆଇନ'ର ବାହାନା ଦେଖାଇଛନ୍ତି। ଜଙ୍ଗଲ ଆଇନର ପେଞ୍ଚ ଯୋଗୁଁ କାମ ଅଟକି ରହିଛି ଏବଂ ଖୁବ୍‌ଶୀଘ୍ର ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଜଙ୍ଗଲ ଆଇନ କ’ଣ ଜନସାଧାରଣଙ୍କ ଜୀବନର ସୁରକ୍ଷା ଠାରୁ ବଡ଼? ଯଦି ସରକାର ଚାହିଁବେ, ସ୍ପେଶାଲ କରିଡର କିମ୍ବା ଜଙ୍ଗଲ ବିଭାଗରୁ ସ୍ୱତନ୍ତ୍ର ଅନୁମତି ଆଣି କ’ଣ ମାତ୍ର ୨ କିଲୋମିଟରର ରାସ୍ତାଟିଏ ନିର୍ମାଣ କରାଯାଇପାରିବ ନାହିଁ? ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଲୋକେ ଏଭଳି ଅଭିଶପ୍ତ ଜୀବନ ଜିଇଁବା କେତେଦୂର ଗ୍ରହଣୀୟ? ଏସି ରୁମ୍‌ରେ ବସି ବିକାଶର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସରକାରୀ ବାବୁମାନଙ୍କୁ ଚିଲିଆ ସାହିର ଖଟିଆରେ ବୁହା ହେଉଥିବା ରୋଗୀଙ୍କ କାନ୍ଦ ଶୁଭୁଛି ତ? ଜଙ୍ଗଲ ଆଇନର ଆଳ ଦେଖାଇ ପ୍ରଶାସନ ଆଉ କେତେ ଦିନ ଜନସାଧାରଣଙ୍କ ମୌଳିକ ଏବଂ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିବ? ଉଚ୍ଚ କର୍ତ୍ତୃପକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସମସ୍ୟା ଉପରେ ତୁରନ୍ତ ଦୃଷ୍ଟି ଦେଇ, ଜଙ୍ଗଲ ବିଭାଗ ସହ ସମନ୍ୱୟ ରକ୍ଷା କରି ଚିଲିଆ ସାହିକୁ ଏକ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି। ପ୍ରଶାସନର କାଗଜପତ୍ରରୁ ବାହାରି ବିକାଶର ଆଲୋକ ଚିଲିଆ ସାହିରେ କେବେ ପହଞ୍ଚୁଛି, ତାହା ଦେଖିବାକୁ ବାକି ରହିଲା।

0
0 views

Comment