ଘଟଗାଁ ଥାନା ଏସ.ଡି.ପି.ଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ।
ଘଟଗାଁ ଥାନା ଏସ.ଡି.ପି.ଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ।
କେନ୍ଦୁଝର,ତା୩୧/୦୫- କେନ୍ଦୁଝର ଜିଲ୍ଲାର ଘଟଗାଁ, ହରିଚନ୍ଦନପୁର,ଦୈତାରୀ ଓ ପାଟଣା ଥାନା ଦାୟୀତ୍ଵରେ ଥିବା ବରିଷ୍ଠ ସବ୍ ଡିଭିଜନାଲ୍ ପୋଲିସ ଅଫିସର ବିଜୟକୃଷ୍ଣ ମହାପାତ୍ରଙ୍କୁ ଢେଙ୍କିକୋଟ ବିଟ ହାଉସ୍ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆଯୋଜନ କରିଥିଲେ ବିଟ ହାଉସ୍ ବରିଷ୍ଠ ଭାରପ୍ରାପ୍ତ ପୋଲିସ ଅଧିକାରୀ ତ୍ରିନାଥ ନାଏକ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଯୋଗଦେଇଥିଲେ। କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ। ଅବସର ଗ୍ରହଣ କରିଥିବା ଏସଡିପିଓ ଶ୍ରୀ ମହାପାତ୍ରଙ୍କୁ ମଞ୍ଚରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା। ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା,ବିଟ ହାଉସ୍ ଅଧିକାରୀ ତ୍ରିନାଥ ନାଏକ,ମହିଳା ଏଏସ୍ଆଇ କ୍ଷୀରୋଦିନି ନିଆଲ, କପିଳେଶ୍ଵର ରାଉତ, ନିରଞ୍ଜନ ପଇଦା,ସାମ୍ବାଦିକ ନୃସିଂହ ନାଥ ସିଂହ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଅବସର ନେଉଥିବା ଅଧିକାରୀଙ୍କ ସମୟାନୁବର୍ତ୍ତିତା, ନିଷ୍ଠାପରତା,କର୍ତ୍ତବ୍ୟପରାତା , ନିରପେକ୍ଷତା ଓ ସୁସମ୍ପର୍କ ଉପରେ ଆଲୋକପାତ କରିଥିଲେ। ସମସ୍ତେ ତାଙ୍କର ଅବସର ପରେ ଜୀବନ ସୁସ୍ଥ ଓ ନିରାମୟ ହେବା ପାଇଁ ମା' ତାରିଣୀ ଙ୍କୁ ପ୍ରାର୍ଥନା କରିଥିଲେ। ଶେଷ ସମୟରେ ମା' ତାରିଣୀଙ୍କ ପବିତ୍ର ମାଟିରୁ କର୍ତ୍ତବ୍ୟରୁ ଅବସର ନେଉଥିବାରୁ ସେ ନିଜକୁ ଧନ୍ୟ ମନେକରିଥିଲେ। ତେବେ ତାଙ୍କର ଅନୁପସ୍ଥିତି ଘଟଗାଁ ଥାନା ପାଇଁ ବିରାଟ ବଡ ଶୂନ୍ୟତା ଓ ତାଙ୍କର ଲୋକ ସମ୍ପର୍କକୁ କେବେ ଭୁଲିହେବ ନାହିଁ ବୋଲି ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ ପରିପ୍ରକାଶ କରିଥିଲେ। ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସଭିଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଶେଷରେ ବିଟ ହାଉସ୍ ତରଫରୁ ଅବସର ନେଉଥିବା ଅଧିକାରୀଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଘଟଗାଁ, ଢେଙ୍କିକୋଟ ପୋଲିସ ସମେତ ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକ ଓ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ମାନେ ଯୋଗଦେଇଥିଲେ। ଶେଷରେ ସମସ୍ତଙ୍କ ପାଇଁ ରାତ୍ର ଭୋଜନର ବ୍ୟବସ୍ଥା ହୋଇଥିଲା।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।