ଚମ୍ପୁଆ NAC ର ଚରମ ଅବହେଳା: କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ, ଅନ୍ଧାରରେ ଜନତା!
ଚମ୍ପୁଆ:- ପ୍ରଶାସନର ଦାୟିତ୍ୱହୀନତା ଏବଂ ଚରମ ଅବହେଳାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଚମ୍ପୁଆ ଏନଏସି ଅଞ୍ଚଳରୁ। ଚମ୍ପୁଆ ଏନଏସି ଅନ୍ତର୍ଗତ ଧଳାଡିହି (ୱାର୍ଡ ନଂ-୮) ଲିପୁନ ଦୋକାନ ପାଖରେ ଏବଂ ନୂଆଗାଁ ଅଞ୍ଚଳରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଦୀର୍ଘ ୧୦ ଦିନରୁ ଅଧିକ ହେବ ଅଚଳ ହୋଇ ପଡ଼ିରହିଛି। ସ୍ଥାନୀୟ ବାସିନ୍ଦା ଏନଏସି ଅଫିସରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଦାୟିତ୍ୱରେ ଥିବା ବଡ଼ବାବୁମାନେ ଜନସାଧାରଣଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇ "କୁମ୍ଭକର୍ଣ୍ଣ ନିଦ୍ରା"ରେ ଶୋଇଥିବା ପରି ମନେହେଉଛି। ଏହି ଦୁଇଟିଯାକ ଅଞ୍ଚଳ ମୁଖ୍ୟତଃ ଆବାସିକ ଏରିଆ ହୋଇଥିବାରୁ, ଏଠାରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଶତାଧିକ ଲୋକ ସକାଳେ ଚାଲିବା ଏବଂ ସନ୍ଧ୍ୟା ଭ୍ରମଣ ପାଇଁ ବାହାରକୁ ଆସିଥାନ୍ତି। ମାତ୍ର ଲାଇଟ୍ ଜଳୁ ନଥିବାରୁ ସାରା ଅଞ୍ଚଳ ଅନ୍ଧକାରମୟ ହୋଇ ରହୁଛି। ବର୍ତ୍ତମାନ ପାଗ ପରିବର୍ତ୍ତନ ଏବଂ ଖରା-ବର୍ଷା ଯୋଗୁଁ ଅନ୍ଧାର ରାସ୍ତାରେ ସାପ ଏବଂ ଅନ୍ୟାନ୍ୟ ବିଷାକ୍ତ ସରୀସୃପ ବୁଲୁଥିବାର ଆଶଙ୍କା ରହୁଛି। ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବ? ସ୍ଥାନୀୟ ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଜନସାଧାରଣଙ୍କ ଟିକସ ପଇସାରେ ଦରମା ପାଉଥିବା ସରକାରୀ ବାବୁମାନେ କାହିଁକି ଲୋକଙ୍କୁ ଏଭଳି ହଇରାଣ ହରକତ କରୁଛନ୍ତି? ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସେମାନଙ୍କର ଅହଂକାର ନା କର୍ତ୍ତବ୍ୟହୀନତାକୁ ଦର୍ଶାଉଛି? ସାଧାରଣ ଲୋକଙ୍କ ଜୀବନ ସହ ଖେଳାଯାଉଥିବା ଏହି ଅବହେଳାକୁ ତୁରନ୍ତ ବନ୍ଦ କରାଯାଉ। ସ୍ଥାନୀୟ ବାସିନ୍ଦା ଜୋରଦାର ଦାବି କରିଛନ୍ତି ଯେ, ଚମ୍ପୁଆ ଏନଏସି ପ୍ରଶାସନ ନିଜର କୁମ୍ଭକର୍ଣ୍ଣ ନିଦ ତ୍ୟାଗ କରି ତୁରନ୍ତ ଏହି ଦୁଇଟିଯାକ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରି ଆଲୁଅ ଜଳାଇବାର ବ୍ୟବସ୍ଥା କରନ୍ତୁ। ନଚେତ୍ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ।