ସ୍ବତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ: ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଦେବଗଡ, ତା. ୨୯.୦୫.୨୦୨୬:
ଦେବଗଡ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ ସନ୍ଦର୍ଭରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ଏଜଲିନ ବାରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। SIR ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ସହିତ ଅଯୋଗ୍ୟ, ଅନାଧିବୃତ କିମ୍ବା ପ୍ରବାସୀ ବ୍ୟକ୍ତିଙ୍କ ନାମ ବିଲୋପ କରିବା। ଏହା ସହ ମୃତ ବ୍ୟକ୍ତି ଓ ନକଲି ନାମକୁ ଚିହ୍ନଟ କରି ତାଲିକାରୁ ବାଦ ଦେବା ଓ ସ୍ଥାନାନ୍ତରିତ ମତଦାତାଙ୍କ ତଥ୍ୟ ସଂଶୋଧନ କରିବାକୁ ଗୁରୁତ୍ୱ ଦିଆଯାଇଛି।
ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ୧୮ ବର୍ଷ ବୟସ୍ ପୂରଣ କରିଥିବା ସମସ୍ତ ଯୋଗ୍ୟ ଭାରତୀୟ ନାଗରିକ ଭୋଟର ତାଲିକାରେ ନାମ ଭର୍ତ୍ତି କରିପାରିବେ।
ମେ ୩୦ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଜିଲ୍ଲାର ୩୩୮ ଜଣ BLO ଘରେ ଘରେ ଯାଇ ପରିଦର୍ଶନ କରିବେ। ଏହା ପରେ ୨୮ ଜୁନ୍ ମଧ୍ୟରେ ମତଦାନ କେନ୍ଦ୍ରଗୁଡିକର ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯିବ।
୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିବା ସମୟ ଧାର୍ଯ୍ୟ ହୋଇଥିବା ବେଳେ, ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସେଗୁଡିକର ସମାଧାନ ପ୍ରକ୍ରିୟା ଚାଲିବ। ଶେଷରେ ୬ ସେପ୍ଟେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଘରେ ଘରେ ପରିଗଣନା ସମୟରେ BLO ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପୂର୍ବମୁଦ୍ରିତ ପରିଗଣନା ଫର୍ମ ଯୋଗାଇବେ। ଫର୍ମ ପୂରଣରେ କୌଣସି ସମସ୍ୟା ହେଲେ BLO ମାନେ ସହାୟତା କରିବେ।
ଏହି ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ସ୍ଥାନୀୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।