logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ: ଚାଷୀଙ୍କ ଧାନ କାଟି ମାଲାମାଲ୍ ସମିତି ନିର୍ଦ୍ଦେଶକ, ପଛରେ ବଡ଼ ଦୁର୍ନୀତିର ଗନ୍ଧ!

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଧାନ କିଣା କାରବାରରେ ପିସି (ଲାଞ୍ଚ) ନେବା ବେଳେ ଚମ୍ପୁଆ ଉପଖଣ୍ଡ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ବୁଧବାର ଚମ୍ପୁଆ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଭୂଇଁପୁର ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ହିରାମୋହନ ନାଏକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ମାଡ଼ି ବସିଛି।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଜୋର ଧରିଛି। ଏହି ଗିରଫଦାରୀ ପରେ ଚାଷୀମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, "ଆମେ କଷ୍ଟ ଅର୍ଜିତ ଧାନ ଦେଲୁ, ଧାନର ସରକାରୀ ଟଙ୍କା ସିଧାସଳଖ ଆମ ବ୍ୟାଙ୍କ ପାସବୁକକୁ ଆସିଲା। ଯଦି ସବୁ ପ୍ରକ୍ରିୟା ସ୍ୱଚ୍ଛ ଥିଲା, ତେବେ ଭୂଇଁପୁର ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ହିରାମୋହନ ନାଏକ ଏତେ ଅଧିକ ଲାଭ କଲେ କେମିତି?" ଏହା ପଛରେ ଏକ ବଡ଼ ର‍୍ୟାକେଟ୍ କାମ କରୁଥିବା ଚାଷୀମାନେ ସନ୍ଦେହ କରୁଛନ୍ତି।ଖବରରୁ ମିଳିଥିବା ସୂଚନା ଅନୁଯାୟୀ, ଭୂଇଁପୁର ସମବାୟ ସମିତି ପରିଚାଳକ ଚାଷୀମାନଙ୍କ ଟୋକନ ଅନୁସାରେ ଆସିଥିବା ଧାନରୁ ପ୍ରାୟ ୩୦% ରୁ ୪୦% ଧାନ କାଟି ରଖିଥିଲେ। ଅର୍ଥାତ ଚାଷୀଙ୍କଠାରୁ କମ୍ ଧାନ ନେଇ କାଗଜପତ୍ରରେ ଅଧିକ ଦେଖାଇ ସମିତି ନିର୍ଦ୍ଦେଶକ ମୋଟା ଅଙ୍କର ମୁନାଫା କମାଇଥିଲେ। ଚାଷୀଙ୍କୁ ଶୋଷଣ କରି ସମିତି ନିର୍ଦ୍ଦେଶକ କରିଥିବା ଏହି ବେଆଇନ ଲାଭରୁ ହିଁ ଚମ୍ପୁଆ ଉପଖଣ୍ଡ ଯୋଗାଣ ଅଧିକାରୀ ଧୂମାରାମ ମୁର୍ମୁ ନିଜର ଭାଗ ବା ଲାଞ୍ଚ ଦାବି କରିଥିଲେ।
ଯୋଗାଣ ଅଧିକାରୀ ଶ୍ରୀ ମୁର୍ମୁ ବାରମ୍ବାର ୧୫ ହଜାର ଟଙ୍କା ଲାଞ୍ଚ ମାଗିବାରୁ, ଏନେଇ ସମିତି ପରିଚାଳନା ନିର୍ଦ୍ଦେଶକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ବୁଧବାର ଯେତେବେଳେ ହିରାମୋହନଙ୍କଠାରୁ ଯୋଗାଣ ଅଧିକାରୀ ଟଙ୍କା ନେଉଥିଲେ, ସେତିକି ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତେବେ କେବଳ ଯୋଗାଣ ଅଧିକାରୀ ନୁହେଁ, ବରଂ ଲାଞ୍ଚ ଦେଉଥିବା ସମିତି ନିର୍ଦ୍ଦେଶକ ମଧ୍ୟ ଚାଷୀଙ୍କ ରକ୍ତଶୋଷା ଧାନ କଟା ଦୁର୍ନୀତିରେ ସମାନ ଭାବେ ଜଡ଼ିତ ବୋଲି ଅଭିଯୋଗ ହେଉଛି। କେବଳ ଜଣେ ଅଧିକାରୀଙ୍କୁ ଗିରଫ କରି ଭିଜିଲାନ୍ସ ଚୁପ୍ ନବସୁ ବୋଲି ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଚାଷୀଙ୍କ କହିବା କଥା ହେଲା, ଭୂଇଁପୁର ସମବାୟ ସମିତିର ପରିଚାଳନା ଅଧିକାରୀ ହିରାମୋହନ ନାଏକ ଯିଏ କି ଚାଷୀଙ୍କ ୩୦% ରୁ ୪୦% ଧାନ କାଟି ମାଲାମାଲ ହୋଇଛନ୍ତି, ତାଙ୍କୁ ମଧ୍ୟ ଏହି ଦୁର୍ନୀତି ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ ଭୁକ୍ତ କରାଯାଉ। ଚାଷୀଙ୍କ ସହ ହୋଇଥିବା ଏହି ବଡ଼ ପ୍ରତାରଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

11
858 views

Comment