ସରକାରୀ ନିୟମକୁ ବୁଢ଼ା ଆଙ୍ଗୁଠି: ଜ୍ୟୋତିପୁର ଘାଟରୁ ବେଆଇନ ବାଲି ଲୁଟ୍, ଚାଷ ଜମି ନଷ୍ଟ ସହ ବସୁଧା ପ୍ରକଳ୍ପ ଠପ୍; ଜାଣିଶୁଣି ଶୋଇଛି କି ଖଣି ବିଭାଗ?
ଚମ୍ପୁଆ :- ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଦାବି ଉପରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଚାଲିଛି ବଡ଼ଧରଣର କୁଠାରଘାତ। ବାରିଆ ଥାନା ଅଧୀନ ଉଚ୍ଚବାଲି ପଞ୍ଚାୟତର ମାଳିପଶି ଗ୍ରାମ ଏବଂ ଜ୍ଯୋତିପୁର ଘାଟରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଚାଲିଛି ବେଆଇନ ବାଲିର କଳା କାରବାର। ୨୦୨୨-୨୩ ମସିହାରୁ ଜ୍ୟୋତିପୁର ବାଲି ଘାଟକୁ ସରକାରୀ ନିଲାମ ଦିଆଯାଇଥିବା ବେଳେ, ଲିଜ୍ଧାରୀ ଜଣକ ନିଜ ସୀମା ଭିତରେ ବାଲି ଉତ୍ତୋଳନ ନକରି ମାଳିପଶି ଗ୍ରାମର ସଞ୍ଚିତ ବାଲିକୁ ଜୋର-ଜବରଦସ୍ତ ଲୁଟ୍ କରୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ପଡ଼ୋଶୀ ମୟୁରଭଞ୍ଜ ଜିଲ୍ଲା ଆଦିପୁର ଗ୍ରାମ ସୀମାପଟୁ ମଧ୍ୟ ବାଲି ଚୋରି ଜାରି ରହିଛି। ଆଶ୍ଚର୍ଯ୍ୟର କଥା, ସବୁ ଜାଣିଶୁଣି ମଧ୍ୟ ଖଣି ବିଭାଗ ଓ ସ୍ଥାନୀୟ ପ୍ରଶାସନ "ଘୁଘୁଡ଼ି ମାରି ଶୋଇଥିବା" ଭଳି ଅଭିନୟ କରୁଛି, ଯାହା ସରକାରଙ୍କୁ ବଦନାମ କରିବାରେ ବାବୁମାନଙ୍କ ମାହିରପଣିଆକୁ ପଦାରେ ପକାଇଛି। ଉଚ୍ଚବାଲି ପଞ୍ଚାୟତର ପାନୀୟ ଜଳ ଯୋଗାଣ ନିମନ୍ତେ ବୈତରଣୀ ନଦୀରୁ କୋଟି କୋଟି ଟଙ୍କାର 'ବସୁଧା' ପ୍ରକଳ୍ପ ମାଧ୍ୟମରେ ୯ଟି ଗ୍ରାମକୁ ପାଣି ସଂଯୋଗ କରାଯାଇଥିଲା। ମାତ୍ର ନିଲାମଧାରୀଙ୍କ ଦ୍ବାରା ନଦୀଶଯ୍ୟାରୁ ବେଆଇନ ଭାବେ ଅତି ଗଭୀରରେ ବାଲି ଉତ୍ତୋଳନ କରାଯିବା ଫଳରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗ୍ରାମବାସୀଙ୍କୁ ବୁନ୍ଦାଏ ପାଣି ପାଇଁ ୧ ରୁ ୨ କିଲୋମିଟର ଦୂରକୁ ଦଉଡ଼ିବାକୁ ପଡ଼ୁଛି। ସରକାରୀ ନିୟମ ଅନୁସାରେ ନଦୀର ପୋଲ, ବନ୍ଧ ଓ ଜଳସେଚନ ପ୍ରକଳ୍ପର ୨୦୦ ରୁ ୫୦୦ ମିଟର ଭିତରେ ବାଲି ଉଠାଇବା ମନା, କିନ୍ତୁ ଏଠି ସେହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବାଲି ପରିବହନ ପାଇଁ ସରକାର ସ୍ୱତନ୍ତ୍ର ରାସ୍ତା ଧାର୍ଯ୍ୟ କରିଥିଲେ ମଧ୍ୟ ମାଫିଆମାନେ ନିଜ ମନମୁଖୀ କାର୍ଯ୍ୟ କରି ଗ୍ରାମ୍ୟ ଜଙ୍ଗଲର ଗଛ କାଟି ନୂଆ ରାସ୍ତା ବନାଇଛନ୍ତି। ଚାଷୀଙ୍କ ସୁନା ଫସଲ ହେଉଥିବା ଚାଷ ଜମି ଉପରେ ଦାଦାଗିରି କରି ବାଲି ଗାଡ଼ି ଚଲାଉଛନ୍ତି, ଯାହାଦ୍ୱାରା ଏକର ଏକର ଚାଷ ଜମି ନଷ୍ଟ ହେବାରେ ଲାଗିଛି। ଯେତେବେଳେ ସ୍ଥାନୀୟ ଚାଷୀ ଏହାକୁ ବାରଣ କରୁଛନ୍ତି, ସେତେବେଳେ ଲିଜ୍ଧାରୀ ଓ ତାଙ୍କ ଗୁଣ୍ଡାବାହିନୀ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ସରକାରୀ ଗାଇଡଲାଇନକୁ ଦେଖିଲେ ଏହି ଘାଟରେ ପ୍ରତି ପାଦରେ ଆଇନ ଭଙ୍ଗ ହେଉଛି । ବାଲି ଉତ୍ତୋଳନ କେବଳ ଦିନ ସମୟରେ (ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ) ହେବା କଥା ରାତିରେ ସମ୍ପୂର୍ଣ୍ଣ ନିଷେଧ। ଏଠାରେ ଦିନରାତି ବାଲି ଲୁଟ୍ ଚାଲିଛି। ଜେସିବି କିମ୍ବା ବଡ଼ ପୋକ୍ଲିନ ମେସିନ ସାହାଯ୍ୟରେ ଗଭୀର ଖନନ ବାରଣ। କେବଳ ଶ୍ରମିକଙ୍କ ଦ୍ୱାରା ବାଲି ଉଠାଯିବ କଥା । ବେଆଇନ ଭାବେ ବଡ଼ ବଡ଼ ମେସିନ ଲଗାଇ ଭୂତଳ ଜଳସ୍ତରଠାରୁ ଅଧିକ ଗଭୀରତାକୁ ଖୋଳି ଦିଆଯାଉଛି। ରାସ୍ତାରେ ପ୍ରଦୂଷଣ ରୋକିବାକୁ ପାଣି ସିଞ୍ଚନ, ଗାଡ଼ିରେ ତ୍ରିପାଲ ଢାଙ୍କିବା, ଜିପିଏସ୍, ଓଜନ ମେସିନ ଏବଂ ପ୍ରବେଶ ପଥରେ ଲାଇଭ୍ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ l ଏସବୁ କୌଣସି ଗୋଟିଏ ବି ନିୟମ ଏଠାରେ ପାଳନ ହେଉନାହିଁ। ବିନା ସରକାରୀ ରସିଦ ରେ ୧୦/୧୨ ଚକିଆ ଟ୍ରକ ଯୋଗେ ବାଲି ଚାଲାଣ କରି ଓଡ଼ିଶା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି କରାଯାଉଛି।
ଏହି ସଂଘାତିକ ବେଆଇନ କାର୍ଯ୍ୟ ବିରୋଧରେ ମାଳିପଶି ଗ୍ରାମବାସୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପତ୍ରର ନକଲ ଓଡ଼ିଶାର ରାଜସ୍ବ ମନ୍ତ୍ରୀ, କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ , କେନ୍ଦୁଝର ବନଖଣ୍ଡ ଅଧିକାରୀ, ଚମ୍ପୁଆ ଉପଜିଲାପାଳ, ଚମ୍ପୁଆ ତହସିଲଦାର ଏବଂ ଖଣି ଉପନିର୍ଦେଶକଙ୍କୁ ମଧ୍ୟ ପ୍ରେରଣ କରାଯାଇଛି। ଏ ସମ୍ପର୍କରେ ଭାରପ୍ରାପ୍ତ ଖଣି ନିର୍ଦେଶକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗକୁ ଅନୁଧ୍ୟାନ କରାଯାଇଛି ଏବଂ ସ୍ଥିତିର ମିଳିତ ଯାଞ୍ଚ କରିବା ପାଇଁ ଚମ୍ପୁଆ ଖଣି ଅଧୂକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଲିଘାଟ ଲିଜ୍ ଦେବା ସମୟରେ ଖଣି ବିଭାଗ କ'ଣ ଆଖି ବୁଜି ଦେଇଥିଲା? ନିୟମର ଖୋଲା ଉଲ୍ଲଂଘନ କରୁଥିବା ଏହି ମାଫିଆଙ୍କ ପଛରେ କେଉଁ ପ୍ରଭାବଶାଳୀ ନେତା ବା ବାବୁଙ୍କ ହାତ ରହିଛି? ଜିଲ୍ଲା ପ୍ରଶାସନ ତଦନ୍ତ ନାମରେ କେବଳ ସମୟ ଗଡ଼ାଉଛି ନା ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କୁ ନ୍ୟାୟ ମିଳିବ, ତାହା ଦେଖିବାକୁ ବାକି ରହିଲା।