logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବସୁଧା ଯୋଜନା ଫେଲ୍: କେନ୍ଦୁଝର ମହେଶ୍ୱରପୁର ଗ୍ରାମରେ ପାଣି ପାଇଁ ହାହାକାର, ବିଭାଗୀୟ ଅବହେଳା ଚରମ ସୀମାରେ

ଚମ୍ପୁଆ : ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ 'ବସୁଧା' ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉଦ୍ଦେଶ୍ୟ ଥିଲା ପ୍ରତି ଘରକୁ ସ୍ୱଚ୍ଛ ପାଣି ପହଞ୍ଚିବ। କିନ୍ତୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ ଏହି ଯୋଜନା ଏବେ ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ ହୋଇଛି। ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ଚରମ ଅବହେଳା ଏବଂ ମନମାନି ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଗ୍ରାମବାସୀ ଟୋପାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ସାତ-ଆଠ ମାସ ହେଲା ଜଳ ଯୋଗାଣ ଠପ୍‌

ସୂଚନା ଅନୁଯାୟୀ, ରଜିଆ ଠାରେ ଥିବା ବସୁଧା ପାଣିଟାଙ୍କିରୁ ମହେଶ୍ୱରପୁର ଗ୍ରାମକୁ ପାଇପ୍ ସଂଯୋଗ କରାଯାଇଛି। ଆରମ୍ଭରୁ କିଛି ଦିନ ପାଣି ଠିକ୍‌ ଭାବେ ଆସିବା ପରେ ଦୀର୍ଘ ସାତ-ଆଠ ମାସ ଧରି ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲୋକଙ୍କ ଅଭିଯୋଗ ପରେ କିଛି ଦିନ ତଳେ ମାତ୍ର ୪-୫ ଦିନ ପାଇଁ ପାଣି ଆସିଥିଲା, କିନ୍ତୁ ତାହା କେବଳ ଗ୍ରାମର ସ୍କୁଲ ସାହି ମଧ୍ୟରେ ସୀମିତ ରହିଲା। ଗ୍ରାମର ମୁଣ୍ଡା ସାହି, ମଝିସାହି ଓ ତଳସାହିକୁ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା। ନିକଟରେ ପୁଣି ୪-୫ ଦିନ ପାଣି ଦେଇ ଏବେ ସପ୍ତାହେରୁ ଉର୍ଦ୍ଧ୍ୱ ହେବ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ କରିଦିଆଯାଇଛି। ପୂର୍ବରୁ ଗ୍ରାମରେ ଥିବା ନଳକୂପ ଗୁଡ଼ିକ ଅତି ପୁରୁଣା ହୋଇଯାଇଥିବାରୁ ସେଥିରୁ ଆବଶ୍ୟକ ଅନୁଯାୟୀ ପାଣି ବାହାରୁ ନାହିଁ। ଏଭଳି ସ୍ଥିତିରେ ପ୍ରବଳ ଖରା ଓ ଗୁଳୁଗୁଳି ମଧ୍ୟରେ ଶତାଧିକ ପରିବାର ପାଣି ଟୋପାଏ ପାଇଁ ଏପଟ ସେପଟ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ଅଭିଯୋଗ ହେଉଛି ଯେ, ପାଇପ୍ ଲାଇନ୍ ଦାୟିତ୍ୱରେ ଥିବା କାର୍ଯ୍ୟରତ କର୍ମଚାରୀମାନେ ନିଜ ମନମାନି ଚଳାଇଛନ୍ତି ଏବଂ ଠିକ୍ ଭାବେ କାର୍ଯ୍ୟ କରୁନାହାନ୍ତି।

ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ କୌଣସି ଦୃଷ୍ଟି ଦେଉନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। "ଯଦି ସରକାରୀ ବାବୁମାନେ ନିଦରୁ ନ ଉଠନ୍ତି ଏବଂ ତୁରନ୍ତ ମହେଶ୍ୱରପୁର ଗ୍ରାମକୁ ନିୟମିତ ବିଶୁଦ୍ଧ ଜଳ ଯୋଗାଣ ନ କରନ୍ତି, ତେବେ ଗ୍ରାମବାସୀ ଆଗାମୀ ଦିନରେ ରାଜପଥକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ" ବୋଲି ଚେତାବନୀ ଦେଇଛନ୍ତି।

47
1685 views

Comment