*ସ୍ବଚ୍ଛ ଭାରତ ଅଭିଯାନ ବିଫଳ, ମୁଖ୍ୟ ରାସ୍ତା ଉପରେ କୁଢ଼ କୁଢ଼ ଆବର୍ଜନା*
ଦାମନଯୋଡି: ସ୍ଵଚ୍ଛ ଭାରତ ଅଭିଯାନ କୁ ସାକାର ରୂପ ଦେବା ଲାଗି ଭାରତ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହିତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ସଫଳ ରୁପାୟନ ପାଇଁ ତୃଣମୂଳ ସ୍ତରରୁ ପ୍ରୟାସ ଜାରି ରଖିଛନ୍ତି । ହେଲେ କେତେକ ଅଧିକାରୀ, କର୍ମଚାରୀ ଙ୍କ ଅବହେଳା ଓ ଲୋକଙ୍କ ମଧ୍ୟରେ ସଚେତନତା ର ଅଭାବ ଯୋଗୁଁ ସ୍ବଚ୍ଛ ଭାରତ ଅଭିଯାନ ବିଫଳ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ସେମିଳିଗୁଡା ବ୍ଲକ୍ ଅନ୍ତର୍ଗତ ଚାରାଙ୍ଗୁଲ ଗ୍ରାମ ପଞ୍ଚାୟତର ତଥା ନବରତ୍ନ ନାଲକୋ ଉଦ୍ୟୋଗ ସନ୍ନିକଟ ଭେଜାପୁଟ ବଜାର ମୁଖ୍ୟ ରାସ୍ତାରେ । ବର୍ଯ୍ୟଜଳ ଓ ବର୍ଷା ପାଣି ନିଷ୍କାସନ ପାଇଁ ନାଳ ନିର୍ମାଣ ହୋଇଛି , ହେଲେ ନାଳରୁ ସଠିକ୍ ଭାବରେ ଆବର୍ଜନା ନିଷ୍କାସନ ହୋଇ ନପାରି ଜମି ରହୁଛି । ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ସହ ସେହି ଅଳିଆ ଆବର୍ଜ୍ଜନା ସବୁ ଆସି ବଜାର ଓ ମୁଖ୍ୟ ରାସ୍ତାରେ ଜମା ହୋଇ ରହୁଛି । ପରବର୍ତ୍ତୀ ସମୟରେ ସେଗୁଡ଼ିକ ପଚି ସଢ଼ି ପୂତ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଭଙ୍ଗା କାଚ ବୋତଲ, ଟାଣୁଆ ପ୍ଲାଷ୍ଟିକ ଆଦି ରାସ୍ତାରେ ପଡ଼ି ରହିବା ଯୋଗୁଁ ଯିବା ଆସିବା କରୁଥିବା ଲୋକେ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଚାରାଙ୍ଗୁଲ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ । ଅନ୍ୟ ପକ୍ଷରେ ଭେଜାପୁଟ ର ଏହି ରାସ୍ତା ନାଲକୋ ଉଦ୍ୟୋଗ ମଧ୍ୟକୁ ମୁଖ୍ୟ ପ୍ରବେଶପଥ । କଥାରେ ଅଛି *ଗାଁ ପରିମଳ ଧୋବାଠୁଥ* ରୁ , ତେଣୁ ନାଲକୋ କର୍ତ୍ତୃପକ୍ଷ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଆଗକୁ ବର୍ଷାଦିନ ଆସୁଥିବାରୁ ଏବେଠାରୁ ଜିଲ୍ଲା ପ୍ରଶାସନ ଓ ନାଲକୋ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏଥିସହ ନାଳରେ କଠିନ ବର୍ଜ୍ୟବସ୍ତୁ ନ ପକାଇ ଉପଯୁକ୍ତ ସ୍ଥାନରେ ସେଗୁଡ଼ିକ ପକାଇବା ପାଇଁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।