logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନ୍ଵେଷା ମହାନ୍ତଙ୍କ ଅଭୂତପୂର୍ବ ସଫଳତା।

*ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନ୍ଵେଷା ମହାନ୍ତଙ୍କ ଅଭୂତପୂର୍ବ ସଫଳତା*

*ବିଲା ଗ୍ରାମ ପାଇଁ ଗର୍ବ ଓ ଗୌରବର ଅବିସ୍ମରଣୀୟ ମୁହୂର୍ତ୍ତ*

ସାହାରପଡା/କେନ୍ଦୁଝର -୨୩/୦୫ (ଖଣ୍ଡାଧାର ନିଉଜ) କେବେ କେବେ ଗ୍ରାମର ମାଟିରୁ ଏମିତି କିଛି ପ୍ରତିଭାର ଉଦୟ ହୁଏ, ଯାହା କେବଳ ପରିବାର କିମ୍ବା ଗ୍ରାମର ସୀମାରେ ସୀମିତ ରହି ନଥାଏ, ବରଂ ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଦିଏ। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ସବୁଜ ପ୍ରକୃତିରେ ଘେରା ଶାନ୍ତ, ସରଳ ଓ ସଂସ୍କୃତିମୟ ବିଲା ଗ୍ରାମ ଆଜି ସେହିପରି ଏକ ଗୌରବମୟ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ଏହି ଗ୍ରାମର କୃତୀ କନ୍ୟା ଅନ୍ଵେଷା ପ୍ରିୟଦର୍ଶିନୀ ମହାନ୍ତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଦ୍ଭୁତ ସଫଳତା ହାସଲ କରି ରାଜ୍ୟସ୍ତରରେ ନିଜ ପ୍ରତିଭାର ସ୍ୱାକ୍ଷର ରଖିଛନ୍ତି।
ଗତ ୨୦ ତାରିଖ ବୁଧବାର ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ଫଳାଫଳରେ ଅନ୍ଵେଷା ସର୍ବମୋଟ ୬୦୦ ନମ୍ବରରୁ ୫୮୯ ନମ୍ବର ରଖି ଟପର ହୋଇଛନ୍ତି। ତାଙ୍କର ଏହି ଅପୂର୍ବ କୃତିତ୍ୱ ଶିକ୍ଷାଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଲା ଗ୍ରାମର ନାମକୁ ମଧ୍ୟ ଉଜ୍ଜ୍ୱଳ କରିଛି।
ଅନ୍ଵେଷାଙ୍କ ପିତା ମନବୋଧ ମହାନ୍ତ ଓ ମାତା କନକଲତା ମହାନ୍ତ ଝିଅର ଏହି ସଫଳତାରେ ଅତ୍ୟନ୍ତ ଆନନ୍ଦିତ ହୋଇଥିବା ବେଳେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଘର ଆଗରେ ଲୋକଙ୍କ ଭିଡ଼, ଶୁଭେଚ୍ଛାର ସୁଅ ଓ ମିଠା ବଣ୍ଟନ ମଧ୍ୟରେ ଗ୍ରାମବାସୀମାନେ ନିଜ ଗ୍ରାମର ଝିଅ ପାଇଁ ଗର୍ବ ଅନୁଭବ କରୁଛନ୍ତି।
ସୂଚନା ଅନୁସାରେ, ଅନ୍ଵେଷା ଆରମ୍ଭରୁ ହିଁ ଅଧ୍ୟୟନ ପ୍ରତି ନିଷ୍ଠାବାନ ଥିଲେ। ସାଧନା, ସମୟାନୁବର୍ତ୍ତିତା ଓ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଏହି ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇଛି। ଶିକ୍ଷକମାନଙ୍କ ମତରେ ଅନ୍ଵେଷା କେବଳ ଜଣେ ମେଧାବୀ ଛାତ୍ରୀ ନୁହେଁ, ସେ ଜଣେ ଶୃଙ୍ଖଳିତ, ବିନମ୍ର ଓ ଲକ୍ଷ୍ୟପ୍ରତି ଦୃଢ଼ ସଙ୍କଳ୍ପବାନ ଛାତ୍ରୀ।
ଅନ୍ଵେଷାଙ୍କ ଏହି ସଫଳତାକୁ ନେଇ ସାହାରପଡା ଅଞ୍ଚଳ ସହ ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଶଂସାର ସୁଅ ଛୁଟିଛି। ବିଭିନ୍ନ ସାମାଜିକ ସଂଗଠନ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅନ୍ଵେଷାଙ୍କ ଏହି କୃତିତ୍ୱକୁ ନେଇ ଅସଂଖ୍ୟ ଅଭିନନ୍ଦନ ବାର୍ତ୍ତା ଭାଇରାଲ ହେଉଛି।
ନିଶ୍ଚୟ ଭାବେ ବିଲା ଗ୍ରାମର ଏହି କୃତୀ କନ୍ୟା ପ୍ରମାଣ କରିଦେଇଛନ୍ତି ଯେ, ଦୃଢ଼ ଇଚ୍ଛାଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ଥିଲେ ଗ୍ରାମର ମାଟିରୁ ମଧ୍ୟ ସଫଳତାର ସୂର୍ଯ୍ୟୋଦୟ ସମ୍ଭବ। ଅନ୍ଵେଷାଙ୍କ ଏହି ସଫଳତା ଆଗାମୀ ପିଢ଼ି ପାଇଁ ଏକ ନୂତନ ପ୍ରେରଣା ଓ ଆଶାର ଆଲୋକ ହୋଇ ରହିବ। (କମଳ ଲୋଚନ ମହାନ୍ତ ଙ୍କ ରିପୋର୍ଟ )।

1
402 views

Comment