logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ଯୋଜନା ଓ ଚିଠା ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ। ଗୁରୁତ୍ୱପୂର୍ଣ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା।

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ଯୋଜନା ଓ ଚିଠା ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ। ଗୁରୁତ୍ୱପୂର୍ଣ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା।

କେନ୍ଦୁଝର,୨୧/୦୫: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲ୍‌ଠାରେ ଜିଲ୍ଲାପାଳ ଵିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଯୋଜନା ଏବଂ ସମୀକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସମ୍ବିଧାନର ଧାରା ୨୭୫(୧) ଅନ୍ତର୍ଗତ ଆଦିବାସୀଙ୍କ ଉନ୍ନୟନ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ଯୋଜନା ଗାଇଡ୍‌ଲାଇନ୍ ଅନୁଯାୟୀ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୬-୨୭ ବାର୍ଷିକ ଓ ଆଗାମୀ ୫ ବର୍ଷର ଯୋଜନା ଉପରେ ଆଲୋଚନାବୈଠକରେ ମୁଖ୍ୟତଃ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବାର୍ଷିକ କାର୍ଯ୍ୟଖସଡ଼ା ଏବଂ ଆଗାମୀ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଦୀର୍ଘମିଆଦୀ ପରିକଳ୍ପନା ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହାକୁ ଅନୁମୋଦନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ (୨୦୨୬-୨୭) ପାଇଁ ଚମ୍ପୁଆ ଆଇ.ଟି.ଡି.ଏ. ଅଞ୍ଚଳ ନିମନ୍ତେ ମୋଟ ୪୭୫.୮୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଆଗାମୀ ପାଞ୍ଚ ବର୍ଷରେ ଏହି ଅନୁଦାନ ରାଶିକୁ କ୍ରମାଗତ ଭାବେ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି, ଯାହାକି ୨୦୩୦-୩୧ ଆର୍ଥିକ ବର୍ଷ ବେଳକୁ ୬୯୬.୭୦ ଲକ୍ଷ ଟଙ୍କାରେ ପହଞ୍ଚିବ। ଚମ୍ପୁଆ ଆଇ.ଟି.ଡି.ଏ. ଅଧୀନରେ ଥିବା ୧,୭୫,୧୬୮ ଆଦିବାସୀ ଜନସଂଖ୍ୟା (୨୦୧୧ ଜନଗଣନା ଅନୁଯାୟୀ) ଏହାଦ୍ୱାରା ଉପକୃତ ହେବେ।
ଆଦିବାସୀମାନଙ୍କ ଆର୍ଥିକ ଉନ୍ନତି ପାଇଁ ମୋଟ ୪୪ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏଥିରେ ଝୁମ୍ପୁରା ଓ ଚମ୍ପୁଆ ଅଞ୍ଚଳରେ ୨ଟି କୃଷି-ପ୍ରକ୍ରିୟାକରଣ ୟୁନିଟ୍ ଏବଂ ମହିଳା ହିତାଧିକାରୀମାନଙ୍କ ପାଇଁ ତେଲ ପ୍ରକ୍ରିୟାକରଣ ଓ ଶାଳ ପତ୍ର ଥାଳି ପ୍ରସ୍ତୁତି ଭଳି ୬ଟି ମୂଲ୍ୟ ସଂଯୋଜନ ୟୁନିଟ୍ ପ୍ରତିଷ୍ଠା କରାଯିବ।
ଚାଷୀଙ୍କ ସୁବିଧା ପାଇଁ ଚେକ୍ ଡ୍ୟାମ୍ ଏବଂ ଜଳପଥ ପରିବର୍ତ୍ତନ ଭଳି ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ, ଯାହାଦ୍ୱାରା ଚାଷୀମାନେ ବର୍ଷସାରା ସହଜରେ ପାଣି ପାଇପାରିବେ। ଗାଁ ଲୋକଙ୍କ ଯାତାୟାତ ସୁବିଧା ପାଇଁ ଗୋଟିଏ ସ୍ଥାନରେ ଛୋଟ ପୋଲ ତିଆରି ହେବ ଏବଂ ଗାଁ ଭିତରେ ୪ଟି ସିମେଣ୍ଟ ରାସ୍ତା ନିର୍ମାଣ କରାଯିବ, ଯେଉଁଥିପାଇଁ ମୋଟ ୪୩.୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସରକାରୀ ନିୟମ ଅନୁଯାୟୀ, ରାସ୍ତା ସଂଯୋଗୀକରଣ ପ୍ରକଳ୍ପର ସମୁଦାୟ ଖର୍ଚ୍ଚ ସୋମାନଙ୍କର ମୋଟ ଯୋଜନା ବଜେଟ୍‌ର ୧୫ ପ୍ରତିଶତରୁ ଅଧିକ ହେବ ନାହିଁ।

ଚଳିତ ଆର୍ଥିକ ବର୍ଷରେ ମୋଟ ୩୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଶିକ୍ଷାର ବିକାଶ ପାଇଁ ମୋଟ ୨୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ଝୁମ୍ପୁରା, ଯୋଡ଼ା ଏବଂ ଚମ୍ପୁଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୧୦ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୯୦ ଲକ୍ଷ ଟଙ୍କା ଏବଂ କର୍ମଚାରୀମାନଙ୍କ ପାଇଁ ୪ଟି ଆବାସିକ ଗୃହ ନିର୍ମାଣ ନିମନ୍ତେ ୯୦ ଲକ୍ଷ ଟଙ୍କା ବିନିଯୋଗ ହେବ।

ଆଦିବାସୀ ଗ୍ରାମଗୁଡ଼ିକରେ ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତକରଣ ଭଳି ମୂଳଦୁଆ ପ୍ରକଳ୍ପ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଚାଷୀମାନଙ୍କ ଜୀବିକା ଉନ୍ନୟନ ପାଇଁ ବିଭିନ୍ନ ବିଭାଗୀୟ ଯୋଜନା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବ୍ଲକର ବିଡିଓ ଏବଂ ସ୍ୱତନ୍ତ୍ର ଅଧିକାରୀମାନେ ନିଜ ନିଜ ଅଞ୍ଚଳର ଆଦିବାସୀ ଏବଂ ବିଶେଷ ଭାବେ ବିପନ୍ନ ଆଦିବାସୀ ଗୋଷ୍ଠୀଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ, ଯାହାର ତୁରନ୍ତ ସମାଧାନ ଏବଂ ସଠିକ୍ ପାଣ୍ଠି ପରିଚାଳନା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ଯୋଗ ଦେଇ ଆଇ.ଟି.ଡି.ଏ. ର କାର୍ଯ୍ୟଧାରାକୁ ପ୍ରଶଂସା କରି କହିଥିଲେ ଯେ, ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ ସଂସ୍ଥା। ଏହା ସହିତ ସମସ୍ତ ସରକାରୀ କାର୍ଯ୍ୟଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ ଓ ନିୟମାବଳୀ ଅନୁଯାୟୀ ସ୍ୱଚ୍ଛତାର ସହ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଚମ୍ପୁଆ ଆଇ.ଟି.ଡି.ଏ. ର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
866 views

Comment