ମାଲକାନଗିରି: ନରସିଂହ ମାଡ଼କାମୀଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି
ମାଲକାନଗିରି: ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏହି ନିଯୁକ୍ତି ପାଇଁ ଜିଲ୍ଲାବାସୀ ଓ ବିଭିନ୍ନ ସମାଜରୁ ଶୁଭେଚ୍ଛା ଜଣାଯାଇଛି । ଅଧିକାଳ ଖାଲି ଥିବା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ ପୂରଣ ହେବା ସହ ଭାରତୀୟ ଜନତା ପାର୍ଟି କର୍ମୀମାନେ ଉତ୍ସାହ ଓ ଆନନ୍ଦର ପରିବେଶ ତିଆରି କରିଛନ୍ତି ।
ଆଜି ଏକ ବିରାଟ ଶୋଭାଯାତ୍ରାରେ ନରସିଂହ ମାଡ଼କାମୀ ସ୍ଥାନୀୟ ଭୈରବ ମନ୍ଦିରରୁ ବାହାରି ବସଷ୍ଟାଣ୍ଡ, ସୁବାସ ବୋଷ ଛକ, ବାଲିମେଳା ଛକ ଓ ଡି ଏନ୍ କେ ଛକ ପରିକ୍ରମା କରି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ଅଫିସକୁ ପହଞ୍ଚି ଦାୟୀତ୍ୱ ଗ୍ରହଣ କରିଥିଲେ । ଦଳୀୟ କର୍ମୀମାନେ କହିଛନ୍ତି ଯେ ନରସିଂହ ମାଡ଼କାମୀଙ୍କ ନେତୃତ୍ୱ ଓ ଅଭିଜ୍ଞତା ରାଜ୍ୟର ବିକାଶମୂଳକ ଯୋଜନା ତିଆରି ଓ କାର୍ଯ୍ୟାନ୍ବୟନରେ ନୂତନ ଦିଗ ଦେବ । ବିଶେଷ କରି ମାଲକାନଗିରି ପରି ଉପାନ୍ତ ଅଞ୍ଚଳର ବିକାଶରେ ଏହା ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।
ନବନିଯୁକ୍ତ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଜିଲ୍ଲାର ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ସାଧାରଣ ଲୋକ ଅଭିନନ୍ଦନ ଜଣାଇଥିବା ସହ ଏହି ଶୋଭାଯାତ୍ରାରେ ସମସ୍ତ ମଣ୍ଡଳର କର୍ମକର୍ତ୍ତାମାନେ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡ଼ି, ଅଧକ୍ଷା ସାବିତ୍ରୀ ପଡିଆମି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିମାଇ ପାଲ, ସନ୍ତୋଷିନି ପାତ୍ର, ମହିଳା ମୋର୍ଚ୍ଚା ସଭାପତି ବେନି କର୍ତୁଲ, ବିଧାୟକ ପ୍ରତିନିଧି ନିହାର ରାୟ ସହ ବିଜେପିର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।