ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ୩ କୋର୍ଟ ଚାଲାଣ।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ୩ କୋର୍ଟ ଚାଲାଣ।
କଣିହାଁ ୨୧/୦୫ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ବାଲିପସି ଗ୍ରାମ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ମାରି ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ପୋଲିସ ସୂତ୍ରରୁ ପ୍ରକାଶ ବାଲିପଶି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ ପଞ୍ଚାୟତ କାର୍ଯ୍ୟାଳୟରେ ପସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଥିଲା। ଏହା ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କଣିହାଁ ବିଡିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। ରେଙ୍ଗାଳି ପୋଲିସ ତରଫରୁ ବାଲିପସି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ(୩୮) ଓ ତାଙ୍କ ସହଯୋଗୀ ରାଜୁ ସାହୁ(୨୪) କୁ ପୋଲିସ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ନିଜ ଘରେ ଆଶ୍ରୟ ଦେଉଥିବା ଅଭିଯୋଗରେ ବାଲିପସି ଗ୍ରାମର ନିଶାକର ବେହେରା (୩୨) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚଞ୍ଚଳା ନାୟକ ସୂଚନା ଦେଇଛନ୍ତି।