logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହାତରେ ପାରମ୍ପରିକ ଅସ୍ତ୍ର, ରାଜପଥରେ ଗର୍ଜିଲେ ଆନ୍ଦୋଳନକାରୀ । ମାଲକାନଗିରି ଜିଲ୍ଲାର ୨ ସହରାଞ୍ଚଳ ଓ ୭ ବ୍ଲକର ଆଦିବାସୀଙ୍କ ଆରପାର୍ ଲଢ଼େଇ ।



୧୭ ଦଫା ଦାବି ନେଇ ରାଜରାସ୍ତାରେ ଆଦିବାସି ନେତା ଘେନୁ ମୁଦୁଲି ଓ ଲଳିତ ମାଡ଼କାମୀ ।
​ମାଲକାନଗିରି ତା ୨୦/୦୫
ନିଜର ବିଭିନ୍ନ ନ୍ୟାଯ୍ୟ ଦାବି ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ଆଦିବାସୀ ଜନସାଧାରଣ। ମାଲକାନଗିରି ଜିଲ୍ଲାର ୨ଟି ସହରାଞ୍ଚଳ ଏବଂ ୭ଟି ବ୍ଲକରୁ ଆସିଥିବା ଶତାଧିକ ଆଦିବାସୀ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବଂ ଆଦିବାସି ମହିଳା ପତାକା ଧରି ଏକ ବିଶାଳ ଶୋଭାଯାତ୍ରାରେ ସରକାରଙ୍କ ବିରୋଧରେ ନିଜର ପ୍ରତିବାଦ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ଦେଇଥିଲେ । ଜିଲ୍ଲା ଆଦିବାସୀଙ୍କ ୧୭ ଗୋଟି ମୌଳିକ ଦାବି ପ୍ରତି ଦୀର୍ଘ ଦିନ ଧରି ସରକାର କର୍ଣ୍ଣପାତ କରୁନଥିବାରୁ ଏବେ ଆନ୍ଦୋଳନ ତେଜିବାରେ ଲାଗିଛି।
​ଏହି ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ପ୍ରମୁଖ ଆଦିବାସୀ ନେତା ଘେନୁ ମୁଦୁଲି ଏବଂ ଲଳିତ ମାଡ଼କାମୀଙ୍କ ସମେତ ଅନ୍ୟାନ୍ୟ ଆଦିବାସୀ ନେତୃବୃନ୍ଦ ଓ ମହିଳା ନେତ୍ରୀ ସାମିଲ ହୋଇ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ଦୀର୍ଘ ଦିନର ଅବହେଳା ପରେ ଏବେ ଆନ୍ଦୋଳନ କାରୀମାନେ ଆରପାର୍‌ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ବାହାରିଛନ୍ତି।
ଆନ୍ଦୋଳନକାରୀଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ଜଙ୍ଗଲ ଜମି ପଟ୍ଟା ଏବଂ ଘରବାଡ଼ି ପଟ୍ଟା ନଥିବାରୁ ସ୍ଥାନୀୟ ଆଦିବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଉଛି, ପଟ୍ଟା ନଥିବା କାରଣରୁ ପିଲାମାନେ ପାଠ ପଢ଼ିବା ପାଇଁ ଆବଶ୍ୟକ ପଡୁଥିବା ଜାତିଗତ ପ୍ରମାଣପତ୍ର ପାଇପାରୁ ନାହାନ୍ତି। ଫଳରେ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅଭାବ ଯୋଗୁଁ ନିଜ ହକ୍ ନପାଇ ଶତାଧିକ ଆଦିବାସୀ ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।
​ଆଦିବାସୀ ନେତା ଓ ଜନସାଧାରଣଙ୍କ ଏହି ଗର୍ଜନ ପରେ ଏବେ ସ୍ଥାନୀୟ ପ୍ରଶାସନ ତଥା ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ତେବେ ଦେଖିବାକୁ ବାକି ରହିଲା, ଏହି ଆନ୍ଦୋଳନ ଏବଂ ପ୍ରତିବାଦ ପରେ ସରକାର କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହି ସମସ୍ୟାର ସମାଧାନ କେବେ ହେଉଛି।

4
277 views

Comment