ହରିଚନ୍ଦନପୁର ଅଞ୍ଚଳର କ୍ରିକେଟ୍ ଐତିହ୍ୟକୁ ସୁଦୃଢ଼ ଓ ଯୁବ କ୍ରିକେଟର ମାନଙ୍କୁ ପ୍ରୋତ୍ସାହନ।
ହରିଚନ୍ଦନପୁର ଅଞ୍ଚଳର କ୍ରିକେଟ୍ ଐତିହ୍ୟକୁ ସୁଦୃଢ଼ ଓ ଯୁବ କ୍ରିକେଟର ମାନଙ୍କୁ ପ୍ରୋତ୍ସାହନ।
ହରିଚନ୍ଦନପୁର:୨୦/୦୫ (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ଅଞ୍ଚଳର କ୍ରିକେଟ୍ ଐତିହ୍ୟକୁ ସୁଦୃଢ଼ କରିବା ଓ ଯୁବ କ୍ରିକେଟରମାନଙ୍କୁ ଏକ ସଂଗଠିତ ମଞ୍ଚ ଯୋଗାଇବା ଉଦ୍ଦେଶ୍ୟରେ କାରକ ମହାନ୍ତିଙ୍କ ଆହ୍ୱାନରେ ୧୭.୦୫.୨୦୨୬ ରବିବାର ସନ୍ଧ୍ୟା ୮ଟାରେ ହରିଚନ୍ଦନପୁର ହାଇସ୍କୁଲ ପଡିଆରେ “ହରିଚନ୍ଦନପୁର କ୍ରିକେଟ୍ କ୍ଲବ୍” ଗଠନ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଥିଲା। କ୍ରିକେଟ୍ ପ୍ରେମୀ ଓ ବରିଷ୍ଠ-ଯୁବ-କନିଷ୍ଠ ପ୍ରତ୍ୟେକ ବୟସ ବର୍ଗର କ୍ରିକେଟ ଖେଳାଳିମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ଅଞ୍ଚଳର କ୍ରିକେଟ୍କୁ ନୂତନ ଦିଗ ଦେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ଲବ୍କୁ ପଞ୍ଜୀକୃତ କରି କେନ୍ଦୁଝର ଜିଲ୍ଲା କ୍ରିକେଟ୍ ୟୁନିଟ୍, ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ଅନ୍ୟାନ୍ୟ ସମ୍ପର୍କିତ କ୍ରିକେଟ୍ ସଂଗଠନ ସହ ଯୋଡିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହା ମାଧ୍ୟମରେ ଭବିଷ୍ୟତରେ ବଡ଼ ଧରଣର କ୍ରିକେଟ୍ ପ୍ରତିଯୋଗିତା, କୋଚିଂ କ୍ୟାମ୍ପ ଓ କ୍ରିକେଟ୍ ବିକାଶମୂଳକ କାର୍ଯ୍ୟକ୍ରମ ଆୟୋଜନର ପଥ ସୁଗମ ହେବ ବୋଲି ମତ ପ୍ରକାଶ ପାଇଥିଲା। ସମଗ୍ର ହରିଚନ୍ଦନପୁର ବ୍ଲକ ପରିସରରେ କ୍ରିକେଟ ସମ୍ପର୍କିତ କାର୍ଯ୍ୟକ୍ରମ କରିବା ଦିଗରେ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସଭାରେ କ୍ଲବ୍ର ପ୍ରଥମ କାର୍ଯ୍ୟକାରିଣୀ ସମିତି ମଧ୍ୟ ଗଠନ କରାଯାଇଥିଲା। ସର୍ବସମ୍ମତିକ୍ରମେ ମାନସ ରଞ୍ଜନ ସେନାପତିଙ୍କୁ ସଭାପତି, ଜୀବନ ସାହୁ ଓ ସୁରେନ୍ଦ୍ର ମଣ୍ଡଳଙ୍କୁ ଉପ-ସଭାପତି, ନାରଣ ସାହୁଙ୍କୁ ସମ୍ପାଦକ, ସୌମ୍ୟରଞ୍ଜନ ସାହୁ (ବାପି) ଓ ରଂଜିତ ସାହୁଙ୍କୁ ସହ-ସମ୍ପାଦକ ଏବଂ ରାଜେନ୍ଦ୍ର କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଏଥିସହ ମୋହନ ସେଠୀ, ଅଜୟ ବିଶ୍ୱାଳ, ଦିବ୍ୟଜ୍ୟୋତି ସାହୁ, ଚିନ୍ମୟ କୁମାର ସାହୁଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜିତ ମାଈତିଙ୍କୁ ପ୍ରାଯୁକ୍ତିକ ସମନ୍ୱୟକ ଭାବେ ଘୋଷଣା କରାଯାଇଥିଲା। ଆଜୀବନ ସଦସ୍ୟତା, ବାର୍ଷିକ ସଦସ୍ୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଭବିଷ୍ୟତରେ କ୍ଲବ୍ ପାଇଁ ଏକ ସୁବିଧାସମ୍ପନ୍ନ କ୍ଲବ୍ ହାଉସ୍ ନିର୍ମାଣ କରିବା ଓ ସେଥିପାଇଁ ଉପଯୁକ୍ତ ଜମି ଚିହ୍ନଟ କରି ସରକାରୀ ସ୍ତରରେ ପ୍ରସ୍ତାବ ଦେବାକୁ ମଧ୍ୟ ସଭାରେ ଆଲୋଚନା ହୋଇଥିଲା। ସଭାର ଶେଷରେ ସମସ୍ତ ସଦସ୍ୟ ହରିଚନ୍ଦନପୁରର କ୍ରିକେଟ୍ ଗୌରବକୁ ପୁନର୍ଜୀବିତ କରିବା ଓ ଯୁବ ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ ଏକତାବଦ୍ଧ ଭାବେ କାମ କରିବାକୁ ସଙ୍କଳ୍ପ ବ୍ୟକ୍ତ କରିଥିଲେ। ବରିଷ୍ଠ ସଦସ୍ୟ ଅଶୋକ ସେନାପତି, ରଞ୍ଜନ ପଣ୍ଡା,ଦୀପଙ୍କର ମହାନ୍ତି, ଜୟନ୍ତ ସାହୁ, ପ୍ରତାପ ସାହୁ ତଥା ଯୁବ କ୍ରିକେଟର ମାନସ କୁମାର ସାହୁ, ଦିବ୍ୟମ ଜେନା, ମିଥୁନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ନେତୃତ୍ୱ ନେଇଥିଲେ।
କାରକ ମହାନ୍ତି ଙ୍କ ରିପୋର୍ଟ।