ସଦର ବ୍ଲକରେ ତିନିଦିନିଆ କ୍ରେଚ୍ କର୍ମୀ ଇଣ୍ଡକ୍ସନ୍ ପ୍ରଶିକ୍ଷଣ ଅନୁଷ୍ଠିତ।
ସଦର ବ୍ଲକରେ ତିନିଦିନିଆ କ୍ରେଚ୍ କର୍ମୀ ଇଣ୍ଡକ୍ସନ୍ ପ୍ରଶିକ୍ଷଣ ଅନୁଷ୍ଠିତ।
କେନ୍ଦୁଝର:୧୯/୦୫, ସଦର ବ୍ଲକର ୩୬ଟି କ୍ରେଚ୍ କେନ୍ଦ୍ରର କ୍ରେଚ୍ କର୍ମୀମାନଙ୍କ ପାଇଁ ତିନିଦିନିଆ ଇଣ୍ଡକ୍ସନ୍ ପ୍ରଶିକ୍ଷଣ କାର୍ୟକ୍ରମ ୧୭ ମେ ୨୦୨୬ ରୁ ୧୯ ମେ ୨୦୨୬ ପର୍ଯ୍ୟନ୍ତ ଆଇଡିଆଲ୍ ଡେଭେଲପମେଣ୍ଟ ଏଜେନ୍ସି (IDA) ପକ୍ଷରୁ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣରେ ସଦର ବ୍ଲକର ବିଭିନ୍ନ କ୍ରେଚ୍ କେନ୍ଦ୍ରରୁ ଆସିଥିବା କ୍ରେଚ୍ କର୍ମୀମାନେ ଅଂଶଗ୍ରହଣ କରିଥିଲେ।
ପ୍ରଶିକ୍ଷଣ କାର୍ୟକ୍ରମକୁ ଆଇଡିଆଲ୍ ଡେଭେଲପମେଣ୍ଟ ଏଜେନ୍ସିର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସେବତୀ ସିଂହ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କ୍ରେଚ୍ କେନ୍ଦ୍ରଗୁଡିକ ମାଧ୍ୟମରେ ଶିଶୁମାନଙ୍କ ସୁରକ୍ଷିତ ଯତ୍ନ, ପ୍ରାରମ୍ଭିକ ଶିକ୍ଷା ଓ ସମଗ୍ର ବିକାଶକୁ ଗୁରୁତ୍ୱ ଦେଇ କର୍ମୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
ପ୍ରଶିକ୍ଷଣ କାର୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ରେଚ୍ ପରିଚାଳନା, ଶିଶୁମାନଙ୍କ ସୁରକ୍ଷା, ପ୍ରାଥମିକ ଶିଶୁ ଯତ୍ନ ଓ ECCD (Early Childhood Care and Development) କାର୍ୟକଳାପ ସମ୍ବନ୍ଧରେ କର୍ମୀମାନଙ୍କୁ ଦକ୍ଷ ଏବଂ ସଚେତନ କରାଇବା।
ଏହି ପ୍ରଶିକ୍ଷଣରେ ରିସୋର୍ସ ପର୍ସନ୍ ଭାବେ ଶ୍ରୀ ସଞ୍ଜୀବ କୁମାର ଘୋଷ କ୍ରେଚ୍ ପରିଚାଳନା ଓ ECCD କାର୍ୟକଳାପ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ସେ କ୍ରେଚ୍ କେନ୍ଦ୍ରରେ ଶିଶୁମାନଙ୍କ ସମଗ୍ର ବିକାଶ, ଖେଳ ଆଧାରିତ ଶିକ୍ଷା ଓ ସୁରକ୍ଷିତ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହା ସହିତ ଡା. ପୀତବାସ ଦାସ, ମେଡିକାଲ୍ ଅଫିସର, PHC (ନ୍ୟୁ) ଜଡିପଦା, କେନ୍ଦୁଝର ଏବଂ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଶିଶୁ ସ୍ୱାସ୍ଥ୍ୟ, ପୋଷଣ, ସ୍ୱଚ୍ଛତା, ପ୍ରାଥମିକ ଚିକିତ୍ସା ଓ ମାତୃ-ଶିଶୁ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ତାଙ୍କର ଅନୁଭବମୂଳକ ଆଲୋଚନା ଓ ପ୍ରାୟୋଗିକ ପରାମର୍ଶ କର୍ମୀମାନଙ୍କୁ ବହୁତ ଉପକୃତ କରିଥିଲା।
ପ୍ରଶିକ୍ଷଣ କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିପିଓ, ସଦର ବ୍ଲକ ,କେନ୍ଦୁଝର ଉପସ୍ଥିତ ରହି କ୍ରେଚ୍ କର୍ମୀମାନଙ୍କୁ କଳିକା କେନ୍ଦ୍ରର ସୁଚାରୁ ପରିଚାଳନା ଏବଂ ଶିଶୁମାନଙ୍କ ଉନ୍ନତ ଯତ୍ନ ପାଇଁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, କ୍ରେଚ୍ କେନ୍ଦ୍ର ମାଧ୍ୟମରେ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଗଠନ ସହ କାର୍ଯ୍ୟରତ ମାଆମାନଙ୍କୁ ବହୁତ ସହଯୋଗ ମିଳିବ।
ପ୍ରଶିକ୍ଷଣ ସମୟରେ ବିଭିନ୍ନ ଗୋଷ୍ଠୀ ଆଲୋଚନା, ପ୍ରାୟୋଗିକ ସେସନ୍, ଖେଳ ଆଧାରିତ ଶିକ୍ଷା ପଦ୍ଧତି ଓ ଶିଶୁମାନଙ୍କ ସମଗ୍ର ବିକାଶ ସମ୍ବନ୍ଧୀୟ କାର୍ୟକଳାପ ଆୟୋଜନ କରାଯାଇଥିଲା। କ୍ରେଚ୍ କର୍ମୀମାନେ ଏହି ପ୍ରଶିକ୍ଷଣ ମାଧ୍ୟମରେ ନିଜ ଦକ୍ଷତା ଓ ଜ୍ଞାନକୁ ଆହୁରି ସୁଦୃଢ କରିପାରିଥିବା ପ୍ରକାଶ କରିଥିଲେ।
ଆଇଡିଆଲ୍ ଡେଭେଲପମେଣ୍ଟ ଏଜେନ୍ସି (IDA) ପକ୍ଷରୁ କୁହାଯାଇଛି ଯେ, ଏପରି ପ୍ରଶିକ୍ଷଣ କାର୍ୟକ୍ରମ କ୍ରେଚ୍ ସେବାର ଗୁଣାତ୍ମକ ଉନ୍ନତି ସହ ଶିଶୁମାନଙ୍କ ସୁରକ୍ଷିତ ଓ ସୁସ୍ଥ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।