logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହୁଲି - ଡମ୍ବରୁଧର ଘଣା ଙ୍କ ବିଶେଷ ଆଲେଖ୍ୟ।

ମହୁଲି - ଡମ୍ବରୁଧର ଘଣା ଙ୍କ ବିଶେଷ ଆଲେଖ୍ୟ।
---------------
ଫଗୁଣ ମାସ । ସମୟ ମୁହଁ ଅନ୍ଧାରିଆ ସକାଳ।
ମହୁଲିଆ ଶୀତ। ସହଳ ସହଳ ବିଛଣା ଛାଡି, ଦେହରେ ଖଣ୍ଡିଏ ଶୀତ ବସ୍ତ୍ର ପକାଇ, ଗାଁ ମାଇପେ ବାହାରି ପଡନ୍ତି। ଯିବେ ମହୁଲ ଗୋଟାଇବାକୁ। କି ଆଦିବାସୀ, କି ପଛୁଆ ବର୍ଗ। ମହିଳା ହିଁ ଏଥିରେ ପୁରା ବାଇ।
ମହୁଲଟା ଏକ ଫୁଲ। ମହୁଲ ଗଛର। ପେନ୍ଥା ପେନ୍ଥା ଫୁଟେ। ଦେଖିବାକୁ ଘିଅ ରଙ୍ଗର। କେଉଁ ଗଛରେ ଗୋଲ ଗୋଲ ଫୁଟେ, ତ ଆଉ କେଉଁଠି ଲମ୍ବା ଲମ୍ବା । ଅଙ୍ଗୁର ପରି। ସକାଳୁ ବହଳ ହୋଇ ବିଛେଇ ପଡିଥାଏ। ପୁଣି ଖରା ବଢିଲେ, ଆଉ କିଛି କିଛି ଝଡି ପଡେ। ଯେତେ ଗଛ ସେତେ ଲୋକ। ମହୁଲ ଗୋଟାଇବାରେ ବ୍ୟସ୍ତ ଲୋକେ, ବିଶେଷ କରି ଆଦିବାସୀ ମହିଳା। ବେଶ୍ କିଛି ଦିନ ଧରି ଏ ମହୁଲ ଗୋଟାଇବା କାମ ଚାଲେ। ଅନ୍ୟ କାମ ସବୁ ଗୈ।ଣ ପଡ଼ିଯାଏ। ଜଣେ ଜଣେ ଦିନକୁ ଅତିକମରେ କୋଡ଼ିଏ ତିରିଶ କିଲୋ ଗୋଟାଇ ଆଣନ୍ତି ।
ଏ' ଫୁଲକୁ ଖରାରେ ଶୁଖାଯାଏ। ଶୁଖିଲେ ରଙ୍ଗ ବଦଳି ଯାଏ। କିସ୍ ମିସ୍ ରଙ୍ଗ ପରି । ଖାଲି ରଙ୍ଗ ବଦଳେ ନାହିଁ। ଗୁଣ ବି ବଦଳେ। ଯେମିତି କିସ୍ ମିସ୍ ରୁ ମଦ, ଓ୍ଵାଇନ୍ ତିଆରି ହୁଏ, ଏଇଠୁ ବି ବାହାରେ ମଦ। ନାଁ ତା'ର ମହୁଲି। କେହି କେହି ଅରଖି ବୋଲି କୁହନ୍ତି। ରଙ୍ଗ ଧଳା। ଭାରି କଡା। ଆଦିବାସୀ ଲୋକେ ତିଆରି କରନ୍ତି। ନିଆଁ ଜାଳ ଦେଇ ଫୁଟାଇବା, ତାକୁ ବାଷ୍ପିକରଣ କରିବା, ପୁଣି ତାକୁ ତରଳ ପଦାର୍ଥରେ ପରିଣତ କରିବା ଏବଂ ଶେଷରେ ବୋତଲରେ ସଙ୍ଗ୍ରହ କରିବା। ପୁରା ରାସାୟନିକ ପ୍ରକ୍ରିୟା। ରସାୟନ ବିଜ୍ଞାନ ପଢି ନ ଥିଲେ ବି, ସେଇ ପଦ୍ଧତି ତାଙ୍କୁ ଜଣା। କାହିଁ କେଉଁ କାଳରୁ।
ଏ ମହୁଲି ତିଆରିଟା ଏବେ କୁଟୀର ଶିଳ୍ପ ପାଲଟି ଯାଇଛି। ଖାସ୍ କରି ଆଦିବାସୀ ଇଲାକାରେ। ଏମାନେ ଖୋଜିଥାନ୍ତି ଗାଁ ପାଖ ଛୋଟ ଜଙ୍ଗଲ, ଝରଣା କୂଳ। ଅବକାରୀ ହେଲେ ବି କିଛି ଲଗାମ୍ ନାହିଁ। ସବୁ ଚାଲେ ଖୁଲମଖୁଲା। ନା ତିଆରି ରେ ନିୟନ୍ତ୍ରଣ ଥାଏ, ନା ଲୋକଙ୍କ ସେବନରେ। ଅତି ସହଜ, ସୁବିଧାରେ ମିଳେ । ଏହା ସେବନ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଖାସ୍ କରି ଯୁବ ଗୋଷ୍ଠୀଙ୍କ ସଂଖ୍ୟା ଅଧିକ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଲାଗିଥାଏ ଅରଖି ଭାଟିରେ।
ଏକ ସାମାନ୍ୟ ଆକଳନରୁ ଦେଖାଯାଇଛି - ଆଦିବାସୀ ଗାଁ, ପଡାରେ ଅନେକ ସଂଖ୍ୟାରେ ଅଳ୍ପ ବୟସ୍କ ଲୋକଙ୍କ ଅକାଳ ମୃତ୍ୟୁ ହୋଇଥାଏ। ସେହି ଅନୁପାତରେ ଅଳ୍ପ ବୟସର ବିଧବା ମହିଳାଙ୍କ ସଂଖ୍ୟା । ଘର ସଂସାର କରୁଥିବା ବେଳେ, ପିଲାଙ୍କ ଭବିଷ୍ୟତକୁ ନେଇ କେତେ କେତେ ସୁନେଲି ସ୍ୱପ୍ନ ଦେଖି , ଗେରସ୍ତ ର ହାତଧରି ବାଟ ଚାଲୁ ଚାଲୁ , ବିଚାରୀ ବାଟରେ ଝୁଣ୍ଟି ପଡେ।‌ କେମିତି ଚାଲିବ, କେତେ ଚାଲିବ ତା'ର ଆକଳନ ବାହାରେ। ନା ଭରଷା, ନା ଆଶ୍ଵାସନା। ମହୁଲିର ମଜା ନେଉ ନେଉ, କେତେବେଳେ ଗେରସ୍ତଟି ଘରଣୀର ହାତ ଛାଡି ଦିଏ, ତ ବାପଟି ପିଲାକୁ ମଝି ସଡ଼କରେ ବେସାହାରା ସଜାଇ ଦିଏ।
ମହୁଲି ଏବେ ଏକ ସାମାଜିକ ବ୍ୟାଧି ରେ ପରିଣତ ହୋଇଛି। ଅବକାରୀ ବିଭାଗ ନିରବଦ୍ରଷ୍ଟା। ହୋଇପାରେ , ଏ ମହୁଲି ଭାଟି ଛୋଟ। ମହୁଲି ତିଆରି ମଧ୍ୟ ପରିମାଣ ଦୃଷ୍ଟିରୁ ବେଶି ନହୋଇ ପାରେ। କିନ୍ତୁ, ଏହାର ପରିଣାମ ବ୍ୟାପକ। ଘାତକ। ଅନିଷ୍ଟକାରୀ। ଏ କାହାର ପୁଅକୁ ଛଡାଇ ନେଉଛି, ତ କାହାର ଗେରସ୍ତ, ତ ପୁଣି କାହାର ବାପ, ଭବିଷ୍ୟତ। ଏ ସାମାଜିକ ବ୍ୟାଧି ଆଡ଼କୁ ସରକାର ଆଖି ବୁଜି ଦେଇଛନ୍ତି। ସାମାଜିକ ସୁରକ୍ଷା ଯେ ସରକାରଙ୍କ ପ୍ରାଥମିକତା, ଏହା ଆଉ ବୋଧେ ସରକାରୀ କାର୍ଯ୍ୟ ଖସଡ଼ାରେ ନାହିଁ।
ମହୁଲିଆ ଶୀତରେ ସକାଳ ଶୋଇବାର ମଜା ଛାଡି, ଗୋଟା ହୁଏ ମହୁଲ। ଘରକୁ ବୋହି ଆଣି ଶୁଖାଯାଏ। ସମୟ ଲାଗେ। ପରିଶ୍ରମ ବି। ସାଇତି ରଖାଯାଏ । କେହି ତାକୁ ବିକ୍ରି କରିଦିଏ, ତ କିଏ ଏଥିରୁ ଝାରେ ମହୁଲି। ଏ ଉଭୟ ପାଆନ୍ତି ଅର୍ଥ । ଅପରପକ୍ଷରେ ଯେଉଁ ପୁଅକୁ ବାପ, ମା' କେଡେ ଆଦରରେ ବଢ଼ାଇଥାନ୍ତି, କେତେ ଯତ୍ନରେ ସାଇତି ରଖିଥାନ୍ତି, ଘରଣୀଟି ଯେଉଁ ଗେରସ୍ତକୁ ଆଶା, ଆଶ୍ରା, ଭରଷାର ବାଡି କରିଥାଏ , ତାକୁ ନେଇଯାଏ ଏ' ମହୁଲି । ଡାହାଣୀ ମହୁଲି। ପୁଣି ଅକାଳରେ। ଜୀବନ ବଞ୍ଚିବାର ମଧ୍ୟାହ୍ନରେ କେତେ ପରିବାର ଉପରକୁ ମାଡି ଆସେ ଅନ୍ଧାର । ପୁଅ ପାରିଗଲା ପରେ କାଲି ଯେଉଁ ବାପ କାନ୍ଧରୁ ପରିବାରର ବୋଝ ଓହ୍ଲାଇ ଯାଇଥିଲା, ଆଜି ସେ କାନ୍ଧରେ ପୁଣି ଭାର଼। ଘରଣୀ ଟି ଆଉ ଘର ଚାରି କାନ୍ଥ ଭିତରେ ନାହିଁ। ଓଢଣା ଓହ୍ଲାଇ, ଅଣ୍ଟାରେ କାନି ଖୋସି ବାହାରି ଯାଏ ବିଲକୁ। ପରିବାରର ଦାୟିତ୍ୱ। ରୋଜଗାର କରିବ, ପିଲାଙ୍କୁ ପାଳିବ । ସେ ବାପ, ସେ ମା' । ଏ ' ମହୁଲି କାହାକୁ ଅର୍ଥ ଦିଏ, ତ ଆଉ କାହାକୁ ବୈଧବ୍ୟ।
- ଡମ୍ବରୁଧର ଘଣା
ଭୁବନେଶ୍ୱର/ ୭୯୭୮୨୧୦୮୨୧
(ସୌଜନ୍ୟ- ଖଣ୍ଡାଧାର ନିଉଜ)

7
744 views

Comment