logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ବେଚ୍ଛାସେବୀ ଅନୁଷ୍ଠାନ "ଆଶା" ର ଆଲୋକରେ ବେସାହାରା ଜୁଆଙ୍ଗ ଜନଜାତି ପିଲାମାନଙ୍କୁ ସହାୟତାର ହାତ ବଢାଇ ଛନ୍ତି ବିଭିନ୍ନ ଅନୁଷ୍ଠାନ।

ସ୍ବେଚ୍ଛାସେବୀ ଅନୁଷ୍ଠାନ "ଆଶା" ର ଆଲୋକରେ ବେସାହାରା ଜୁଆଙ୍ଗ ଜନଜାତି ପିଲାମାନଙ୍କୁ ସହାୟତାର ହାତ ବଢାଇ ଛନ୍ତି ବିଭିନ୍ନ ଅନୁଷ୍ଠାନ।

କେନ୍ଦୁଝର: ୧୯/୦୫- (ଖଣ୍ଡାଧାର ନିଉଜ) ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର ଦୁଆରଶୁଣି ଗାଁ। ସେଇଠି କାହ୍ନୁ ଜୁଆଙ୍ଗର ଘର। ସ୍ତ୍ରୀ ଓ ତିନି ପିଲାଙ୍କୁ ନେଇ ପରିବାର। ସୁଖ, ଦୁଃଖର ସଂସାର। କାହ୍ନୁର ଚାଷ ବୋଲି କିଛି ନାହିଁ। ପର ଘରେ ମଜୁରୀ କରି ଆଣିଲେ ପରିବାର ଚଳେ।
କାହାର କୁପ ଦୃଷ୍ଟି ପଡିଲା କେଜାଣି। ଗତ ବର୍ଷ ଏଇ ଦିନରେ କାହ୍ନୁ ସ୍ତ୍ରୀ ର ଦେହାନ୍ତ ହୋଇଗଲା। ପିଲାଙ୍କ ଦାୟିତ୍ୱ ନେଲା ବଡ ମା'। ବଡ ମା' ମଧ୍ୟ ଏଇ ଅଳ୍ପଦିନ ତଳେ ଚାଲିଗଲା ଆର ପାରିକି। ପୁଣି ଏଇ ଛଅ ଦିନ ତଳେ କାହ୍ନୁ ର ଦେହାନ୍ତ ହୋଇଗଲା। ତିନି ପିଲା ଏବେ ବାପ, ମା' ଛେଉଣ୍ଡ। ସେମାନଙ୍କ ବୟସ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ। ସବା ବଡ ପିଲାଟି ଝିଅ - ୭ ବର୍ଷ। ଦ୍ଵିତୀୟ ପିଲାଟି ପୁଅ - ୫ ବର୍ଷ। ସବୁଠୁ ଯେ ସାନ, ସେଇଟି ଝିଅ - ୩ ବର୍ଷ। ଏଇ ବୟସରେ ମା' କୋଳର ଉଷୁମ ଭିତରେ ରହିବା ବେଳରେ, ଭଗବାନ ତାକୁ ଛଡାଇନେଲେ। କାହିଁକି ଏମିତି କଲେ, ସେ ହିଁ ଜାଣିଥିବେ। ଏ ଖବର ପ୍ରଥମେ ପାଇଥିଲେ " ଆଶା' ର ଅଗ୍ରଣୀ ସ୍ଵେଚ୍ଛାସେବୀ ଶ୍ରୀମାନ ମନୋଜ କୁମାର ପଟେଲ୍।
"ଆଶା" ଏହା ଉପରେ ଏକ ଖବର ପ୍ରସାରିତ କଲା। ଏ ପିଲା ଆଜି ବାପ, ମା' ଛେଉଣ୍ଡ ସତ। କିନ୍ତୁ, ଅନାଥ ନୁହେଁ କି ବେସାହାରା ନୁହେଁ। ବିଭିନ୍ନ ସୂତ୍ରରୁ ବଢୁଛି ସହାୟତାର ହାତ। ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଯୋଗାଇ ଦିଆଯାଇଛି ରାସନ୍ ସାମଗ୍ରୀ। ତା ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ଆଶା" ପ୍ରଦାନ କରିଛି କିଛି ଖାଦ୍ୟ ସାମଗ୍ରୀ। "କେନ୍ଦୁଝର ଅମ୍ବିକା ମୋବାଇଲ" ତରଫରୁ ମଧ୍ୟ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।
କେନ୍ଦୁଝର ଜିଲ୍ଲା ଫିଲ୍ମ ଏକାଡେମୀର ଏକ ଦଳ ଆସି ଦେଇଯାଇଛନ୍ତି --- ଚାଉଳ, ଡାଲି, ତେଲ, ଲୁଣ, ଆଳୁ, ପିଆଜ, ଅଦା, ରଶୁଣ, କଦଳୀ, ବିସ୍କୁଟ, ଚୁଡା, ମୁଢି, ଗୁଡ, ମସଲା ଜାତୀୟ ଦ୍ରବ୍ୟ, ଇତ୍ୟାଦି। ତା ସହିତ କଥା ଦେଇଛନ୍ତି - ପିଲାଙ୍କ ପାଇଁ ଯେତେବେଳେ ଯାହା ଦରକାର - ଚିକିତ୍ସା, ଔଷଧ, ପୋଷାକ, ଖାଦ୍ୟ ସାମଗ୍ରୀ, ପାଠ୍ୟ ଉପକରଣ ସବୁ ଯୋଗାଇ ଦେବେ। ଏମିତି ଭାବର ସହିତ ବିହ୍ୱଳ ହୋଇ ସେମାନେ କହୁଥିଲେ, ଯେ ଶୁଣିବ, ତା'ର ହୃଦୟ ତରଳି ଯିବ। ବୁଝି ହେଉ ନାହିଁ- ଭଗବାନ ଜନ୍ମ ଦେଇ ପୁଣି ଏମିତି କରନ୍ତି କାହିଁକି।
"ଆଶା" ସମସ୍ତ ସହଯୋଗୀ ସଂସ୍ଥାଙ୍କୁ ବିଶେଷ କରି ଜିଲ୍ଲା ଫିଲ୍ମ ଏକାଡେମୀକୁ ଅନେକ ଅନେକ ଧନ୍ୟବାଦ ଜଣାଇଛି। ଶୁଦ୍ଧିକ୍ରିୟା କାର୍ଯ୍ୟର ଦାୟିତ୍ୱ ମଧ୍ୟ ଆଶାର ସ୍ଵେଚ୍ଛାସେବୀ ମାନେ ହାତକୁ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। (ମନୋଜ ପଟେଲଙ୍କ ରିପୋର୍ଟ)

32
1081 views

Comment