କେନ୍ଦୁଝର ସଂସ୍କୃତି ଭବନ ଠାରେ ଆର୍ଟ୍, ଅଫ୍, ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।
କେନ୍ଦୁଝର ସଂସ୍କୃତି ଭବନ ଠାରେ ଆର୍ଟ୍, ଅଫ୍, ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।
କେନ୍ଦୁଝର- ୧୮/୦୫, କେନ୍ଦୁଝର ସହର ର ସଂସ୍କୃତି ଭବନ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏଥିରେ କିସ,କିଟ,କିମ୍ସ,କଳିଙ୍ଗ ଟିଭି ସହଯୋଗ ରେ ଓ କିସ ର ସଂଯୋଜକ ଜଗବନ୍ଧୁ ଦାସ ଙ୍କ ଦ୍ଵାରା ନେତୃତ୍ୱରେ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିଲା,ଏଥିରେ କିସ ଅଭିଭାବକ ସଂଘ ର ଉପ ସଭାପତି ଶିବ ଶଙ୍କର ମାରଡି ସଭା କୁ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସିଟିଜି ର ଚେୟାରମ୍ୟାନ ରୋଟାରୀୟାନ ଡ଼ ରାଜେନ୍ଦ୍ର ପଲେଇ ଯୋଗ ଦେଇ ଡ଼ ଅଚ୍ୟୁତ ସାମନ୍ତ ଙ୍କ ଆର୍ଟ ଅଫ ଗିଭିଂ ପରି କାର୍ଯ୍ୟକ୍ରମ ଗତ ୧୩ ବର୍ଷ ଧରି ଜାରି ରଖିଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହିତ ୨୨୨ ଟି ଦେଶରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି, ଅନ୍ୟ ତମ ଅତିଥି ଭାବରେ ଗୋନାସିକା କଲେଜ ର ଅଧକ୍ଷ ରାଜଶ୍ରୀ ଖାଟୋଇ,ସମାଜସେବୀ ଓ ଲେଖକ ଭରତ ପାତ୍ର, ବରିଷ୍ଠ ସାମ୍ବାଦିକ, ସମାଜ ସେବୀ ମଳୟ ମହାପାତ୍ର, କିସ ଅଭିଭାବକ ସଂଘ ର ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ, ବଡ଼ବିଲ ର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକ ପ୍ରମୁଖ ଯୋଗଦେଇ କିସ, କିଟ, କିମ୍ସ ଓ ଆର୍ଟ ଅଫ ଗିଭିଂ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ କୁ ପ୍ରଶଂସା କରିଥିଲେ, ଡ଼ ଅଚ୍ୟୁତ ସାମନ୍ତ ଙ୍କ ମତରେ
ଆର୍ଟ୍, ଅଫ୍, ଗିଭିଂ ବା ଦେବାର କଳା ଏକ ଜୀବନ ଦର୍ଶନ ଯାହା ବିଶ୍ଵର କୋଟି କୋଟି ଲୋକଙ୍କୁ ଦୟା, କରୁଣା, ସ୍ନେହ, ପ୍ରେମ ଓ ସାମାଜିକ ସମ୍ପ୍ରଭିର ମନ୍ତ୍ରରେ ଅଭିମଜ୍ଜିତ କରିବା ସହ ସେମାନଙ୍କୁ ଅନୁପ୍ରାଣିତ କରୁଛି । ମୌଳିକ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଓ ପ୍ରସାରରେ ସହାୟିକ ହୋଇପାରିଛି । ଏହି ଦାନ ଦର୍ଶନ କୌଣସି ନୂତନ ଉଦ୍ଭାବନ କି ଆବିଷ୍କାର ନୁହେଁ; ଏହା ମଣିଷର ଅନ୍ତଃ ପ୍ରବୃଦ୍ଧି, ଯାହା ଚିରନ୍ତନ ଓ ଶାଶ୍ୱତ, ତାର ଜାଗରଣ ଓ ପ୍ରତିଫଳନ । ନିଜ ଭିତରର ଦେବତ୍ଵର ସନ୍ଧାନ ଓ ବିକୀରଣ। ଆର୍ଟ୍ ଅଫ୍ ଗିଭିଂର ଆଧାର ହେଉଛି ନିଃସ୍ୱାର୍ଥପର ଦାନ ମାଧ୍ଯମରେ ସମାଜରେ ସୁଖ, ଶାନ୍ତି ପ୍ରୀତି ଓ ଖୁସିର ବିତରଣ, ପ୍ରସାରଣ ଓ ପ୍ରୋତ୍ସାହନ । ଯଦି ପ୍ରତ୍ୟେକଙ୍କ ମଧ୍ୟରେ ଏହି ଭାବ ବିକଶିତ ହେବ, ତେବେ ପୃଥବୀ ଆହୁରି ସୁନ୍ଦରତମ ଓ ବାସଯୋଗ୍ୟ ହୋଇପାରିବ।
ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା କ୍ଷୁଦ୍ର ପ୍ରୟାସ, ଅଭିଯାନ, ଏବେ ଏକ ବିଶାଳ ବୈଶ୍ୱିକ ଆନ୍ଦୋଳନରେ ପରିଣତ ହୋଇଛି। ୨୦୧୩ ମସିହା ମେ ୧୭ ତାରିଖରୁ ହୋଇଥିବା ଏହି ଯାତ୍ରା ବିଶ୍ଵର ୨୨୨ଟି ଦେଶକୁ ପ୍ରସାରିତ ହୋଇଛି। ପ୍ରତିବର୍ଷ ପାଳିତ ହେଉଛି ମେ ୧୭ ତାରିଖରେ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ । ବର୍ଷକୁ ବର୍ଷ ଏହି ଅଭିଯାନର ଆକାର ପ୍ରକାର, କଳେବର, ଭୂଗୋଳ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆମକୁ ଉତ୍ସାହିତ କରିଛି। ଆଜି ଆର୍ଟ୍ ଅଫ୍ ଗିଭି ପରିବାରରେ ୩ ନିୟୁତରୁ ଉର୍ଦ୍ଧ୍ବ ସକ୍ରିୟ ସଦସ୍ୟ ଅଛନ୍ତି । ସବୁ ମହାଦେଶରେ, ୨୨୨ ଦେଶରେ, ପଲ୍ଲୀଠୁ ଆରମ୍ଭ କରି ମହାନଗରୀ ପର୍ଯ୍ୟନ୍ତ ଏହା କାୟା ବିସ୍ତାର କରିଛି। ଏଥିରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ, ଜାତୀୟତା, ବେଉସା, ବୟସ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଛନ୍ତି। କିଶୋର ଛାତ୍ରଛାତ୍ରୀଙ୍କଠାରୁ ବରିଷ୍ଠ ନାଗରିକ, ପଲ୍ଲୀବାସୀ, ବନବାସୀ, ସହରବାସୀ, ନଗରବାସୀ ସମସ୍ତେ ଏକ ବିଚାରର ସୂତ୍ରରେ ବାନ୍ଧି ହୋଇଛନ୍ତି, ଯେଉଁ ବନ୍ଧନ ମୁକ୍ତ ହୃଦୟର ବନ୍ଦନା ଗାନ କରେ । ଜୀବନର ଜୟଗାନ କରେ। ସଂକୀର୍ଣତାର ସୀମା ବିଲୋପ କରି ଅସୀମତାର ଆବାହାନ କରେ । ଏଥୁରୁ ଦୟା ଧର୍ମ ଦାନ ଦର୍ଶନର ସାର୍ବଜନୀନତା ସ୍ପଷ୍ଟ ଅନୁଭୂତ । ଆଗାମୀ ସମୟ ଯେ ଉଜ୍ଜ୍ଵଳ ସମୟ, ଆଲୋକ ଓ ଆନନ୍ଦର ସମୟ, ଏହି ଉପଲବ୍ଧି ଆମ ସମସ୍ତଙ୍କୁ ପୁଲକିତ କରୁଛି।
ଆର୍ଟ୍ ଅଫ୍ ଗିଭିଂର ଆଭିମୁଖ୍ୟ ଏକ ଶାଶ୍ଵତ ଭାବର ପ୍ରୟୋଗ କେବଳ। ଏହି ଅଭିଯାନ ଆନୁଷ୍ଠାନିକ ରୂପ ଦେବାର ଯଥେଷ୍ଟ ପୂର୍ବରୁ, ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବାଲ୍ୟ ଓ କୈଶୋର କାଳରେ ତାଙ୍କୁ ଅଭିମନ୍ତ୍ରିତ କରିଥିଲା। କୌଣସି ଶାସ୍ତ୍ରର ପ୍ରଭାବରୁ ନୁହେଁ, ସ୍ଵତଃସ୍ଫୁର୍ତ ଭାବରେ ଅଚ୍ୟୁତ ସାମନ୍ତ ଏହି ଶିକ୍ଷା ଆହରଣ କରିଥିଲେ ତାଙ୍କ ଜୀବନ ବିଦ୍ୟାଳୟରୁ, ତାଙ୍କ ପରିବେଶର ପାଠଶାଳାରୁ। ତାଙ୍କର ବାଲ୍ୟ ଓ କୈଶୋର କଟିଛି ଉତ୍କଟ ଦାରିଦ୍ର୍ୟ, ଅସହାୟତା ଓ ନାନାଦି ପ୍ରତିକୂଳ ପରିବେଶରେ । ନାହିଁ ନାହିଁରେ। ଯେତେବେଳେ ସେ ବସ୍ତୁତଃ ଶୂନ୍ୟ, ଦେବାକୁ ପ୍ରାୟ କିଛି ନଥିଲା, ସେତେବେଳେ ଏହି ଭାବ ତାଙ୍କୁ ଆଲୋକିତ କରୁଥିଲା । ସାମାନ୍ୟ କିଛି ଦେଇଦେଲେ କାହାକୁ, ସେ ଭାବରେ ହେଉ କି ଦ୍ରବ୍ୟରେ; ଅଚ୍ୟୁତ ଶୂନ୍ୟରୁ ଆହୁରି ଶୂନ୍ୟ ହୋଇ ଯାଉ ନ ଥିଲେ, ବରଂ ତାଙ୍କ ଅନ୍ତର ପୂରି ଉଠୁଥଲା ଅନନ୍ୟ ଅପୂର୍ବ ଆନନ୍ଦରେ, ଯାହା ସତରେ ଅମୂଲ୍ୟ ଓ ଅକଳ୍ପନୀୟ। ଏହା କ୍ରମଶଃ ତାଙ୍କ ଜୀବନ ଶୈଳୀର ଅଂଶ ହେଇଗଲା। ନିଃସ୍ୱାର୍ଥପର ଦାନଶୀଳତା ତାଙ୍କ ଜୀବନର ବ୍ରତ ହୋଇଗଲା । ପିଲାବେଳେ ଚକୁଳିଆ ପଣ୍ଡାଙ୍କଠୁ ଶୁଣିଥିବା ଦେଇଥିଲେ ପାଇ...' ଗୀତର ମର୍ମ ସେ ଅନୁଭବ କରିପାରିଥିଲେ । ପ୍ରକୃତରେ ଦେଲେ ସରେନି, ବରଂ ବଢ଼େ; ଏବଂ ଏହି କୈଶୋର କାଳର ଉପଲବ୍ଧିର ପ୍ରୟୋଗ ଓ ବ୍ୟାଖାନର ଫଳଶ୍ରୁତି ହେଉଛି ଆର୍ଟ୍ ଅଫ୍ ଗିଭିଂ ଯାହା ଏକ ଜନ ଆନ୍ଦୋଳନର ରୂପ ନେବା ଅଚ୍ୟୁତଙ୍କ ପାଇଁ ଚରମ ସନ୍ତୁଷ୍ଟି । ତାଙ୍କର ଅନୁଭବ ଓ ଅନୁଭୂତି ଆଧାରରେ ଲିଖିତ ଓ ରୂପା ପବ୍ଲିକେଶନ ଦ୍ଵାରା ପ୍ରକାଶିତ ଏକ ପୁସ୍ତକ ଆର୍ଟ୍ ଅଫ୍ ଗିଭିଂ- ଏ ୱେ ଅଫ୍ ଲାଇଫ୍' ଗତ ବର୍ଷ ପ୍ରକାଶ ପାଇଛି ଯାହା ବିପୁଳ ପାଠକୀୟ ଆଦର ଲାଭ କରିଛି। ଆର୍ଟ୍ ଅଫ୍ ଗିଭିଂ କୌଣସି ଆନୁଷ୍ଠାନିକ ବ୍ୟବସ୍ଥାରେ ପରିଚାଳିତ ନୁହେଁ। ଏହା ସମ୍ପୂର୍ଣ ରୂପେ ବ୍ୟକ୍ତିଗତ ଓ ସ୍ୱେଚ୍ଛାକୃତ । ସ୍ୱେଚ୍ଛାସେବୀମାନେ ବର୍ଷ ବ୍ୟାପୀ ବିଭିନ୍ନ ପ୍ରକାରର କାର୍ଯ୍ୟରେ ଏହାର ରୂପାୟନ କରୁଛନ୍ତି। ଏହି ଖବର ଆମକୁ ଆହୁରି ସକ୍ରିୟ ଓ ସଶକ୍ତ ତଥା ଆସ୍ଥାବାନ କରୁଛି।
ଆଜି ଆର୍ଟ୍ ଅଫ୍ ଗିଭିଂର ଏହି ସୁନ୍ଦର କାର୍ଯ୍ୟକ୍ରମରେ ଯୋଗଦେଇ ସାଫଲ୍ୟମଣ୍ଡିତ କରିଥିବାରୁ କିସ ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ ଲୋକ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ନରେନ୍ଦ୍ର ନାଏକ, ଗୁରୁଚରଣ ନାଏକ, ପ୍ରଶାନ୍ତ ନାଏକ, ନିତ୍ୟାନନ୍ଦ ନାୟକ, ବଳରାମ ମୁଣ୍ଡା, ପ୍ରବାନନ୍ଦ ସାହୁ, ଅଜିତ ଖଟୁଆ, ପ୍ରଦୀପ ସେଠୀ, ନିଲୁ ଜେନା, ରାମଚନ୍ଦ୍ର ନାଏକ, ରମାକାନ୍ତ ଜୁଆଙ୍ଗ, ଶ୍ରୀକାନ୍ତ ନାୟକ ପ୍ରମୁଖ ଙ୍କ ସହଯୋଗ ରେ ସଫଳ ହୋଇଥିଲା।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।