ନୂଆପଡା: ସାବିତ୍ରୀ ବ୍ରତ ପର୍ବ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ
ନୂଆପଡା: କୋମନା ବ୍ଳକ ଅନ୍ତର୍ଗତ ବୁଦ୍ଧିକୋମନା ନିକଟସ୍ଥ ଡୋଙ୍ଗରିପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଗତ ଶନିବାର ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ “ସତୀ ନାରୀର ପତି ଭକ୍ତି, ଯମରାଜଙ୍କ ପରାଜୟ” ଶୀର୍ଷକ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ବିବାହିତ ମହିଳାମାନେ ପତିଙ୍କ ଦୀର୍ଘାୟୁ ଓ ପରିବାରର ସୁଖ-ଶାନ୍ତି କାମନା କରି ବ୍ରତ ପାଳନ କରିଥିଲେ।
ମନ୍ଦିରରେ ମହାପୂଜା, ଆରତି, ନାମସଙ୍କୀର୍ତ୍ତନ ଓ ଭଜନ କାର୍ଯ୍ୟକ୍ରମ ହୋଇଥିଲା। ସାବିତ୍ରୀ-ସତ୍ୟବାନଙ୍କ ପୌରାଣିକ କାହାଣୀ ଉପରେ ଆଧାରିତ ପ୍ରବଚନ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା। ଗ୍ରାମବାସୀ, ମହିଳା ମଣ୍ଡଳୀ ଓ ମନ୍ଦିର ପରିଚାଳନା କମିଟିର ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ଏବଂ ଶେଷରେ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।