ଜନ ଭାଗିଦାରୀ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଦେବଗଡ଼, ତା. ୧୫.୦୫.୨୦୨୬ ରିଖ :- ଜନ ଭାଗିଦାରୀ ସବସେ ଦୂର, ସବସେ ପେହେଲେ (IEC) ଅଭିଯାନକୁ ସଫଳ ଭାବେ କାର୍ୟକରୀ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏହି ବୈଠକଟି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଓ ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି ଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସାହୁ ଅଭିଯାନ ସମ୍ପର୍କରେ ଅବଗତ କରାଇ କହିଥିଲେ ଯେ, ତା. ୧୮.୦୫.୨୦୨୬ ରୁ ୨୫.୦୫.୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ତିନୋଟି ବ୍ଲକ୍ର ୮୮ଟି ଗ୍ରାମରେ ପ୍ରଧାନମନ୍ତ୍ରୀ ଜନ୍ ମନ ଓ DAJGUA ଅନ୍ତର୍ଗତ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯିବ। ଏହି ଅଭିଯାନର ମୂଖ୍ୟ ଲକ୍ଷ୍ୟ ହେଉଛି ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ମାଧ୍ୟମରେ ଦୂରଦୁରାନ୍ତ ଅଞ୍ଚଳର ଲୋକଙ୍କୁ ସରକାରୀ ସୁବିଧା ସମ୍ପର୍କରେ ଅବଗତ କରାଇବା। ଅଭିଯାନ ଅବଧିରେ ବିଭିନ୍ନ ସ୍ଥାନରେ ପୂର୍ଣ୍ଣ ସୁବିଧା ସହିତ ଅନ୍ତର୍ଭୁକ୍ତି ଶିବିର, ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହିତ ୪୭ଟି ଆଦି ସେବା କେନ୍ଦ୍ରରେ ଅଭିଯୋଗ ଶୁଣାଣି ଓ ସମାଧାନ କାର୍ୟକ୍ରମ ମଧ୍ୟ କରାଯିବ। ଏହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।