ସାବିତ୍ରୀ ଭାର - ଡକ୍ଟର ବିକାଶ କୁମାର ହୋତା ଙ୍କ ରଚିତ କବିତା।
ସାବିତ୍ରୀ ଭାର
ଧାଆର କରଜ କରିକି ଏ ସନ
ଝିଅକୁ ଦେଇଛି ବାହା
ସାବିତ୍ରୀରେ ଶାଢ଼ୀ,ଚୁଡ଼ି ଫଳ ମୂଳ
ଦେବାକୁ ପଡ଼ିବ ଯାହା ||
ବିବାହର ତିନି ମାସ ପରେ ପରା
ଆସିଛି ସାବିତ୍ରୀ ବ୍ରତ
ଭାର ନ ଦେଲେ ତ ଝିଅଟାକୁ ମୋର
ଖୁଣ୍ଟା ମିଳିବାଟା ସତ ||
ମୁଣ୍ଡ ଟା ମୋହରି ଚକର ଖାଉଛି
ଶୋଉନି ମୁଁ ଦିନ ରାତି
ଆଉ ପୁଣି ଟଙ୍କା ଆଣିବି କେଉଁଠୁ
ସେ କଥା ଭାବୁଛି ନିତି ||
ଝିଅ ପାଇଁ ମୋର ଯେତେ ଯାହା ହେଲେ
ଯିବି ସବୁ କଷ୍ଟ ସହି
ଭାବିବାକୁ ତାକୁ ଦେବିନି ଜମା ମୁଁ
ନାହିଁ ବୋଲି ତା'ର ଭାଇ ||
ମହାଜନ ପାଶ କାଲି ମୁହିଁ ଯିବି
ଘର ଡିହ ବନ୍ଧା ଦେଇ
ଟଙ୍କା କିଛି ଆଣି ଝିଅ ଘର ଯିବି
ସାବିତ୍ରୀ ଭାରକୁ ନେଇ||
ଭାରକୁ ଦେଖିଲେ ମୋ ଝିଅର ଶାଶୁ
ହୋଇଯିବ ଭାରି ଖୁସି
ତେବେ ତ ଯାଇକି ସେଇଠି ମୋ ଝିଅ
ରହୁଥିବ ହସି ହସି ||
ଝିଅ ସୁଖ ପାଇଁ ମୋ ସୁଖ ଶାନ୍ତିକୁ
ମନରେ ଦେବି ମୁଁ ମାରି
ସୁଖର ସଂସାର ଗଢ଼ୁ ମୋର ଝିଅ
କୃପା କର ସଦା ହରି ||
ବିକାଶ କୁମାର ହୋତା, ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର, ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧
(ସୌଜନ୍ୟ ଖଣ୍ଡାଧାର ନିଉଜ)