ସ୍ଲରି ପାଇପ କାମ ବେଳେ ଘର କାନ୍ଥ ଫାଟିଲା - କ୍ଷତିପୂରଣ ନ ମିିଳିଲେ ଏନ୍ଏଚ୍ ଅବରୋଧ ଧମକ।
ସ୍ଲରି ପାଇପ କାମ ବେଳେ ଘର କାନ୍ଥ ଫାଟିଲା - କ୍ଷତିପୂରଣ ନ ମିିଳିଲେ ଏନ୍ଏଚ୍ ଅବରୋଧ ଧମକ।
କେନ୍ଦୁଝର: ୧୩ା୦୫, ଜାତୀୟ ରାଜପଥ ୨୦ ପାଶ୍ୱର୍ରେ ଲୁହାପଥର ଗୁଣ୍ଡ ପରିବହନ ପାଇଁ ସ୍ଲରି ପାଇପ ବିଛା ଚାଲିଛି । ୧୧ ତାରିଖ ମଧ୍ୟାହ୍ନ ୧୨ଟା ବେଳେ ସ୍ଲରି ପାଇପ ବିଛା ଯୋଗୁଁ ଘସିପୁରା ଥାନା ଜାତୀୟ ରାଜପଥ-୨୦ ପାଶ୍ୱର୍ ଧକୋଠା ପଂଚାୟତ ଅନ୍ତର୍ଗତ ଭାଲୁକୁମା ଗ୍ରାମର ଭଗବାନ ପଲେଇ ଙ୍କ ଛାତ ଘର କାନ୍ଥ ଫାଟି ଆଁ କରିଛି । ସ୍ଲରି ପାଇପ ବିଛାଇବାବେଳେ ଡ୍ରିଲ ଦ୍ୱାରା କମ୍ପନ ହୋଇ କାନ୍ଥ ଫାଟି ଘରଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ଜେଏସଡବ୍ଲୁ କମ୍ପାନୀର ବେପରୁଆ କାମ ଯୋଗୁଁ ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ସେ କେନ୍ଦୁଝର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସ୍ଲରି ପାଇପ ବିଛାଇବା ବେଳେ ଘର କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ଜେଏସଡବ୍ଲୁ କମ୍ପାନୀର ଠିକା ସଂସ୍ଥା ଓ ଭଗବାନ ପଲେଇଙ୍କ ମଧ୍ୟରେ ଗୋଟିଏ ଚୁକ୍ତିନାମା ହୋଇଥିଲା । ଚୁକ୍ତିନାମା ଅନୁଯାୟୀ ଘର କ୍ଷତିଗ୍ରସ୍ତ ହେଲେ କମ୍ପାନୀ କ୍ଷତିପୂରଣ ଦେବେ ବୋଲି ଚୁକ୍ତିନାମା ହୋଇଥିଲା । ସ୍ଲରି ପାଇପ କାମ ବେଳେ ଭଗବାନ ପଲେଇ ଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲେ ହେଁ କମ୍ପାନୀର ଅଧିକାରୀମାନେ କ୍ଷତିପୂରଣ ଦେବା ପାଇଁ ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ନ ମିଳିବାରୁ ପରିବାର ଲୋକ ଉକ୍ତ ସ୍ଥାନରେ କାମ ବନ୍ଦ କରିଥିଲେ ମଧ୍ୟ ପୋଲିସ ସହାୟତାରେ କାମ କରିବା ପାଇଁ ପରିବାର ଲୋକଙ୍କୁ ଧମକ ମିଳୁଥିବା ଭଗବାନ ପଲେଇ ଅଭିଯୋଗ କରିଛନ୍ତି । ଘର କାନ୍ଥ ଫାଟି ଅସୁରକ୍ଷିତ ହୋଇପଡିଥିବାରୁ ଘର ବଦଳରେ ଘର ଦେବାକୁ ସେ କହିଛନ୍ତି । ଘର କ୍ଷତିଗ୍ରସ୍ତ ହେବା ପରେ କମ୍ପାନୀର ଅଧିକାରୀମାନେ ଧରାଛୁଆଁ ଦେଉନଥିବା ଭଗବାନ ଅଭିଯୋଗ କରିଛନ୍ତି । ଏ ନେଇ ଭଗବାନ ପଲେଇ ଦୁଇ ଦୁଇ ଥର ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ଏତଲା ଗ୍ରହଣ କରୁନାହାଁନ୍ତି । ପୋଲିସ ନିକଟରୁ ନ୍ୟାୟ ନ ପାଇ ଜେଏସଡବ୍ଲୁ କମ୍ପାନୀକୁ ଏକ ଜରୁରୀ ନୋଟିସ କରି ୭ ଦିନ ମଧ୍ୟରେ ଏହାର ସମାଧାନ ନ କଲେ ଏହାର ପ୍ରତିବାଦରେ ୨୧/୦୫/୨୦୨୬ ରିଖ ଦିନ କ୍ଷତିଗ୍ରସ୍ତ ଘର ସମ୍ମୁଖରେ ସପରିବାର ଜାତୀୟ ରାଜପଥ ୨୦ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ କୌଣସି ଅପ୍ରିତିକର ପରିସ୍ଥିତି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଭଗବାନ ପଲେଇ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ବର୍ଷ ବର୍ଷ ଧରି ଏହି ପାଇପ ବିଛା କାମ ଚାଲିଛି । ସ୍ଲରି ପାଇପ ବିଛା ଯୋଗୁଁ ବନ୍ୟପ୍ରାଣୀ କରିଡର ଅସୁରକ୍ଷିତ ହୋଇପଡିଛି । ଅନେକ ସ୍ଥାନରେ କାମ ସରିବା ପରେ ଜଙ୍ଗଲ ପାଶ୍ୱର୍ରେ ମାଟି,ପଥର ସମତୂଲ କରାଯାଉନାହିଁ । ଫଳରେ ବନ୍ୟପ୍ରାଣୀ ଯାତାୟତରେ ଅସୁବିଧା ହେଉଥିଲେ ହେଁ ବନ ବିଭାଗ ଚୁପ ବସିଛି।
(ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)