logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ: ବାତ୍ୟା ଓ ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତିର ହେଲା ସମୀକ୍ଷା।

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ: ବାତ୍ୟା ଓ ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତିର ହେଲା ସମୀକ୍ଷା।

କେନ୍ଦୁଝର: ୧୩.୦୫.୨୦୨୬- ଆସନ୍ତା ୨୦୨୬ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି।

ଏହି ବୈଠକରେ ମାନ୍ୟବର ସାଂସଦ କେନ୍ଦୁଝର ଶ୍ରୀଯୁକ୍ତ ଅନନ୍ତ ନାୟକ, ମାନ୍ୟବର ଅଧ୍ୟକ୍ଷ ଜିଲ୍ଲା ଯୋଜନା କମିଟି ତଥା ତେଲକୋଇ ବିଧାୟକ ଡାକ୍ତର. ଫକୀର ମୋହନ ନାଏକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ମନ୍ଦରଧର ମହାଳିକ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ସୁକାନ୍ତ କୁମାର ମାଝୀ, ଉପ-ଜିଲ୍ଲାପାଳ ଚମ୍ପୁଆ ଉମାକାନ୍ତ ପରିଡ଼ା, ଉପଜିଲ୍ଲାପାଳ ଆନନ୍ଦପୁର ନୀଳମାଧବ ସୁନା, ଜିଲ୍ଲା ଆପତ୍ତକାଳୀନ ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସେବା ସହ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାପାଳ ପ୍ରାକ ପ୍ରସ୍ତୁତି, ଆନ୍ତ-ବିଭାଗୀୟ ସମନ୍ୱୟ ଏବଂ ସଠିକ୍ ସମୟରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ। ଯେପରି କୌଣସି ଜୀବନ ହାନି ନହୁଏ (ଜିରୋ କାଜୁଆଲଟି) ଏବଂ ଜନଜୀବନ ବ୍ୟାହତ ନହୁଏ, ସେଥିପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଓ ସମୟସୀମା ଧାର୍ଯ୍ୟ କରାଯାଇଛି।
ଜଳସେଚନ ବିଭାଗ ଏବଂ ବୈତରଣୀ ଅବବାହିକାର ଅଧିକାରୀମାନଙ୍କୁ ନଦୀ ଓ କେନାଲ ବନ୍ଧର ପୂର୍ବ ଘାଇଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ଜଳର ସୁଗମ ନିଷ୍କାସନ ପାଇଁ ସମସ୍ତ ବିଡିଓ ଏବଂ ସହରଞ୍ଚାଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବାକୁ କୁହାଯାଇଛି।

ଜୁନ୍ ୧ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଦପ୍ତର ଏବଂ ବ୍ଲକ୍ ସ୍ତରରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ସହ ଦୈନିକ ବୃଷ୍ଟିପାତ ଓ ବନ୍ୟା ସ୍ଥିତି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଆଇଏମଡି (IMD) ଭୁବନେଶ୍ୱର ଦ୍ୱାରା ଜାରି ପାଣିପାଗ ସତର୍କ ସୂଚନା ଓ ବନ୍ୟା ବୁଲେଟିନକୁ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜରୁରୀ ସମୟରେ ଟେଲିଫୋନ ସେବା ଚାଲୁ ରଖିବାକୁ ବିଏସଏନଏଲ (BSNL) କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ବିପଦସଙ୍କୁଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ସାମଗ୍ରୀ ଗଚ୍ଛିତ ରଖିବାକୁ ଏବଂ ଓ୍ୱାଟକୋ (WATCO) ଓ ଆରଡବ୍ଲ୍ୟୁଏସଏସ (RWSS) ବିଭାଗକୁ ନିରବଚ୍ଛିନ୍ନ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ହୋଇଛି।

ସ୍ୱାସ୍ଥ୍ୟ, ପଶୁସମ୍ପଦ ଏବଂ କୃଷି ବିଭାଗକୁ ରୋଗ ପ୍ରତିରୋଧକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପାନୀୟ ଜଳ ଓ ଶୌଚାଳୟ ସୁବିଧା ଥିବା ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରି ମେ ୧୫ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ସେହିପରି ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସ୍ଥାନାନ୍ତରଣ ଓ ପରିବହନ ଯୋଜନା ପ୍ରସ୍ତୁତ କରାଯାଇଛି।

ଜରୁରୀ ସମୟରେ ଓଡ୍ରାଫ (ODRAF), ଏନଡିଆରଏଫ (NDRF) ଏବଂ ସେନା ବାହିନୀର ମୁତୟନ ପାଇଁ ଆରକ୍ଷୀ ଅଧୀକ୍ଷକ (SP) ଏବଂ ପୂର୍ତ୍ତ ବିଭାଗକୁ ଆଗୁଆ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ ମାନ୍ୟବର ସାଂସଦ ଓ ବିଧାୟକ ପ୍ରଶଂସା କରିବା ସହ ଧନଜୀବନ ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଛନ୍ତି।

(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

14
610 views

Comment