logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଘୂର୍ଣ୍ଣିଝଡ଼ର ତାଣ୍ଡବ : ବିଶାଳ ଜାମୁ ଗଛ ପଡ଼ି ଦୁଇ ଆଦିବାସୀ ପରିବାରର ଘର କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ।

ଘୂର୍ଣ୍ଣିଝଡ଼ର ତାଣ୍ଡବ : ବିଶାଳ ଜାମୁ ଗଛ ପଡ଼ି ଦୁଇ ଆଦିବାସୀ ପରିବାରର ଘର କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ।

କେନ୍ଦୁଝର, ସଦର ବ୍ଲକ:୧୩/୦୫, (ଖଣ୍ଡାଧାର ନିଉଜ)
ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାରେ ହୋଇଥିବା ପ୍ରବଳ ବଜ୍ରପାତ ଓ ଘୂର୍ଣ୍ଣିଝଡ଼ ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି । ସଦର ବ୍ଲକ ଅନ୍ତର୍ଗତ ବାଉରି ପଦା ପଞ୍ଚାୟତର ମନୋହରପୁର ଗ୍ରାମରେ ଏକ ବିଶାଳକାୟ ଜାମୁ ଗଛ ଭାଙ୍ଗି ପଡ଼ି ଦୁଇଟି ଘର ଉପରେ ପଡ଼ିଥିଲା । ଏହି ଘଟଣାରେ ଦୁଇଟି ଆଦିବାସୀ ଗରିବ ପରିବାରର ଘର ଭାରି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବଡ଼ ଧରଣର ଅଘଟଣରୁ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ହଠାତ୍ ପ୍ରବଳ ପବନ ସହ ବର୍ଷା ଓ ବଜ୍ରପାତ ଆରମ୍ଭ ହୋଇଥିଲା । ଏହି ସମୟରେ ଗ୍ରାମର ସ୍ୱର୍ଗତ ସଦାନନ୍ଦ ଦେହୁରୀ ଓ କୋଇଲ ବେୱାଙ୍କ ଘର ଉପରେ ଏକ ବିରାଟ ଜାମୁ ଗଛ ଭାଙ୍ଗି ପଡ଼ିଥିଲା । ଘଟଣା ସମୟରେ ଘର ଭିତରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ସମୟରେ ସତର୍କତା ଅବଲମ୍ବନ କରି ସେମାନେ ଘର ଛାଡ଼ି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

ଘଟଣା ପରେ ପ୍ରବଳ ବର୍ଷା ଓ ରାତି ହୋଇଯାଇଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିଲା । ଆଜି ସକାଳେ ଘଟଣା ସମ୍ପର୍କରେ କେନ୍ଦୁଝର ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସହାୟତାରେ ବିଶାଳ ଗଛକୁ କାଟି ହଟାଇଥିଲେ । ପରେ ଉଭୟ ଘରକୁ ସୁରକ୍ଷିତ ଅବସ୍ଥାକୁ ଆଣାଯାଇଥିଲା ।

ଏହି ଘଟଣା ପରେ ଗ୍ରାମରେ ଭୟ ଓ ଆତଙ୍କର ପରିସ୍ଥିତି ଦେଖାଦେଇଥିଲା । ଉଭୟ ପରିବାର ଆଦିବାସୀ ଓ ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଘରର କ୍ଷତି ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ତେଣୁ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ବର୍ଷା ଋତୁ ଆରମ୍ଭ ହେଉଥିବାରୁ ଗ୍ରାମାଞ୍ଚଳରେ ଏପରି ପୁରୁଣା ଓ ବିପଦଜନକ ଗଛଗୁଡ଼ିକୁ ଚିହ୍ନଟ କରି ପୂର୍ବରୁ କାଟିବା କିମ୍ବା ସୁରକ୍ଷାମୂଳକ ପଦକ୍ଷେପ ନିଆଯିବା ଆବଶ୍ୟକ, ଯାହା ଫଳରେ ଆଗାମୀ ଦିନରେ ଏପରି ଦୁର୍ଘଟଣାକୁ ଏଡ଼ାଯାଇପାରିବ ।

କମଳ ଲୋଚନ ମହାନ୍ତ ଙ୍କ ରିପୋର୍ଟ
ମୋବାଇଲ : ୭୦୦୮୬୯୦୨୮୯

20
1042 views

Comment