logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଜ୍ରପାତରେ ଜଳିଗଲା ଅମିନ ମୁଣ୍ଡାଙ୍କ ଘର।

ବଜ୍ରପାତରେ ଜଳିଗଲା ଅମିନ ମୁଣ୍ଡାଙ୍କ ଘର।

*ଭୁବନେଶ୍ୱରରେ ଥିବା ବେଳେ ଗ୍ରାମରେ ଘଟିଲା ଦୁର୍ଘଟଣା, ପରିବାର ମୁହାଁ ହେଉଛି ସଙ୍କଟ*

କେନ୍ଦୁଝର:୧୩/୦୫, କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ବାଉରି ପଦା ପଞ୍ଚାୟତ ର ବିଶ୍ଵନାଥ ପୁର୍ ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ହୋଇଥିବା ଭୟଙ୍କର ବଜ୍ରପାତ ଯୋଗୁଁ ଗ୍ରାମର ଅମିନ ମୁଣ୍ଡା (୨୫)ଙ୍କ ବାସଗୃହ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁର୍ଘଟଣା ସମୟରେ ଘରେ କେହି ନଥିବାରୁ ବଡ଼ ଅଘଟଣା ଟଳିଯାଇଥିଲେ ମଧ୍ୟ ପରିବାରଟି ବର୍ତ୍ତମାନ ଚରମ ସଙ୍କଟରେ ପଡ଼ିଛି।

ସୂଚନା ଅନୁସାରେ, ଅମିନ ମୁଣ୍ଡା ନିଜ ସ୍ତ୍ରୀ ଓ ଛୋଟ ପିଲାକୁ ନେଇ ଜୀବିକା ନିମନ୍ତେ ଭୁବନେଶ୍ୱରକୁ କାମ କରିବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମରେ ହଠାତ୍ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତ ସିଧାସଳଖ ତାଙ୍କ ଘର ଉପରେ ପଡ଼ିବାରୁ ମୁହୂର୍ତ୍ତ ମଧ୍ୟରେ ଘରଟି ଅଗ୍ନିକାଣ୍ଡର ରୂପ ନେଇଥିଲା। ଓ ଆଖି ପିଛୁଳାକେ ଘରର ଛାତ , ଆସବାବପତ୍ର, ପୋଷାକ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା ।

ଘଟଣା ପରେ ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଜ୍ରପାତର ତୀବ୍ରତା ଓ ଅଗ୍ନିର ଭୟାବହତା କାରଣରୁ ଘରଟିକୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଗ୍ରାମବାସୀମାନେ କହିଛନ୍ତି ଯେ, ଅମିନ ମୁଣ୍ଡାଙ୍କ ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଓ ଏହି ଦୁର୍ଘଟଣା ପରେ ସେମାନେ ଆଶ୍ରୟହୀନ ଅବସ୍ଥାରେ ପହଞ୍ଚିଛନ୍ତି।

ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଲୋକମାନେ ସରକାରୀ ସହାୟତା ଓ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ପ୍ରଭାବିତ ପରିବାରକୁ ଘର ନିର୍ମାଣ ସହାୟତା, ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି ଉଠାଇଛନ୍ତି।

ଗ୍ରାମରେ ଏହି ଘଟଣା ପରେ ଶୋକର ଛାୟା ଖେଳିଯାଇଥିବା ବେଳେ, ସମସ୍ତେ ପରିବାରଟିକୁ ସହାୟତା କରିବା ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି।

(ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତଙ୍କ ରିପୋର୍ଟ)

19
1405 views

Comment