*ବିଦ୍ୟୁତ୍ ଆଘାତରେ ନିର୍ମାଣ ଶ୍ରମିକ ଗୁରୁତର*
ଦାମନଯୋଡି: ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜନୈକ ନିର୍ମାଣ ଶ୍ରମିକ ବିଦ୍ୟୁତ୍ ଆଘାତରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି । ସୂଚନାରୁ ପ୍ରକାଶ ଯେ, ଦାମନଯୋଡି ସନ୍ନିକଟ ଚାରାଙ୍ଗୁଲ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ, ସତସଙ୍ଗ ନଗର ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲ ପାର୍ଶ୍ୱ ଅଞ୍ଚଳରେ ନରହରି ନାୟକ ଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ନିର୍ମାଣ କାର୍ଯ୍ୟରେ ନିୟୋଜିତ କେନ୍ଦୁ ମାଳିଗୁଡ଼ା ଗ୍ରାମର ଗୁରୁ ଗୁଣ୍ଠା (୪୮) ନାମକ ବ୍ୟକ୍ତି ଗୃହ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଆହତ ଙ୍କୁ ତୁରନ୍ତ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ବିଦ୍ୟୁତ୍ ଆଘାତରେ ଗୁରୁ ଗୁଣ୍ଠା ଙ୍କ ୪୦ପ୍ରତିଶତ ରୁ ଉର୍ଦ୍ଧ୍ବ ଶରୀର କ୍ଷତାକ୍ତ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଘର ମାଲିକ ସୁରକ୍ଷା ସତର୍କତା ଅବଲମ୍ବନ ନକରି କିଭଳି ଲୋକଙ୍କୁ କାମରେ ନିୟୋଜିତ କରିଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।