ଦେବଗଡ଼ରେ ଏଲ୍ପିଜି ଓ ପେଟ୍ରୋଲିୟମ ଯୋଗାଣ ସମନ୍ୱୟ ବୈଠକ
ଦେବଗଡ଼: ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିକାଶ ଭବନ ସମ୍ମିଳନୀ କକ୍ଷରେ ଏଲ୍ପିଜି ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲିୟମ ଇନ୍ଧନ ଯୋଗାଣ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଗ୍ୟାସ୍ ସିଲିଣ୍ଡରର କଳା ବଜାର ରୋକିବା ସହିତ ଗ୍ୟାସ୍ର ସଠିକ୍ ବ୍ୟବହାର ଉପରେ ଜୋର ଦେଇଥିଲେ ଏବଂ ହୋଟେଲ, ରେଷ୍ଟୁରାଣ୍ଟ ଓ ବିଭିନ୍ନ ସଂସ୍ଥାନରେ ଗ୍ୟାସ୍ ବ୍ୟବହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ହସ୍ପିଟାଲ, ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର ଓ ଜେଲ୍ମାନଙ୍କରେ ଗ୍ୟାସ୍ ଯୋଗାଣ ଓ ବ୍ୟବହାରରେ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ବଡ଼ ସଂସ୍ଥାଗୁଡ଼ିକୁ ଏଲ୍ପିଜି ସହିତ ବିକଳ୍ପ ଇନ୍ଧନ ଯଥା ଇଣ୍ଡକ୍ସନ ଚୁଲା ଓ କାଠ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ଜିଲ୍ଲାରେ ଗ୍ୟାସ୍ ସିଲିଣ୍ଡର OTP ମାଧ୍ୟମରେ ସହଜରେ ଉପଲବ୍ଧ ଓ ପେଟ୍ରୋଲ-ଡିଜେଲ ପ୍ରଚୁର ରହିଛି ବୋଲି ସୂଚନା ମିଳିଛି। ବୈଠକରେ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ।