ଟିବି ଫୋରମ୍ ଓ ଯକ୍ଷ୍ମା ମୃତ୍ୟୁ ସମୀକ୍ଷା ବୈଠକ ଅନୁଷ୍ଠିତ
ଦେବଗଡ଼, ୩୦ ଏପ୍ରିଲ – ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଟିବି ଫୋରମ୍ ଓ ଯକ୍ଷ୍ମା ମୃତ୍ୟୁ ସମୀକ୍ଷା ବୈଠକ ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାତ କୁମାର ଓଝାଙ୍କ ଆହ୍ୱାନକ୍ରମେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ଚାଲୁଥିବା ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ୧୦୦ ଦିନିଆ କ୍ୟାମ୍ପେନ୍ର ପ୍ରଗତି ସମୀକ୍ଷା କରିଥିଲେ। ଗତ ୨୪ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନ୍ରେ ବିପଦ ସଙ୍କୁଳ ଗ୍ରାମଗୁଡ଼ିକୁ ଚିହ୍ନଟ କରି ଆୟୁଷ୍ମାନ ଆରୋଗ୍ୟ ଶିବିର ମାଧ୍ୟମରେ ଯକ୍ଷ୍ମା ରୋଗ ନିରୂପଣକୁ ଗୁରୁତ୍ୱ ଦିଆଯାଉଛି।
ସେ ଭ୍ରାମ୍ୟମାଣ ଏକ୍ସ-ରେ ସେବା, କଫ ପରୀକ୍ଷା ସହ ଅନ୍ୟାନ୍ୟ ଅଣ-ସଂକ୍ରାମକ ରୋଗ ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବିପଦ ସଙ୍କୁଳ ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ସଚେତନ କରିବା ସହିତ ଶୀଘ୍ର ଚିକିତ୍ସା ସୁବିଧା ପହଞ୍ଚାଇବା ପାଇଁ ଗୁରୁତ୍ୱ ଆରୋପ କରାଯାଇଛି।
ଏହି ଅଭିଯାନର ଅଂଶରୂପେ ବାରକୋଟ ବ୍ଲକ୍ର ୭୯ଟି, ତିଲେଇବନି ବ୍ଲକ୍ର ୪୪ଟି ଓ ରିଆମାଳ ବ୍ଲକ୍ର ୬୨ଟି ବିପଦ ସଙ୍କୁଳ ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ ପାଇଁ ପରାମର୍ଶ ଦିଆଯାଇଛି।
ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦିଲୀପ କୁମାର ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ହେମନ୍ତ ସିଂହ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର, ଶ୍ୱାସ ରୋଗ ବିଶେଷଜ୍ଞ ଡା. ଦେବରଞ୍ଜନ କବି, ଉପନିର୍ଦ୍ଦେଶକ ଯୋଜନା ଶ୍ରୀ ଗାୟରାମ ମାରାଣ୍ଡି, ସଭାପତି ଶ୍ରୀମତୀ ଅନୁପମା ରାଉତ, ଓକିଲ ଶ୍ରୀ ବାଣେଶ୍ୱର ଦାସ, ସାମ୍ବାଦିକ ଶ୍ରୀ ବ୍ରିଜେଶ ରଞ୍ଜନ ସାହୁ ଓ ଏନ୍.ଟି.ଇ.ପି କର୍ମଚାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଡି.ପି.ସି (ଏନ୍.ଟି.ଇ.ପି) ଶ୍ରୀ ଆଶୁତୋଷ ଦାସ ପରିଚାଳନା କରିଥିଲେ।