ପ୍ରି-ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ଫଇସଲା
ଦେବଗଡ଼, ତା ୩୦.୦୪.୨୦୨୬ ରିଖ :- ଦେବଗଡ଼ ତହସିଲ କାର୍ଯ୍ୟାଳୟରେ ଆଜି ତହସିଲଦାର କର୍ଣ୍ଣ ମଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରି-ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ଫଇସଲା କରାଯାଇ ୩୦ ଜଣ ଆବେଦନକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗଦେଇଥିବାବେଳେ, ବରୋଣ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର (ରାଜସ୍ୱ) ଲକ୍ଷ୍ମଣ ଅମାତ, ପ୍ରିୟା ତିର୍କି, ଅତିରିକ୍ତ ତହସିଲଦାର ଦୟାଲ ଓମ୍ ପ୍ରକାଶ ସାହୁ ଏବଂ ରେଭିନ୍ୟୁ ସୁପରଭାଇଜର ନମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଓଡିଶା ସର୍ଭେ ଓ ସେଟେଲମେଣ୍ଟ ନିୟମ, ୧୯୬୨ରେ ସଂଶୋଧନ କରାଯାଇ ନୂତନ ଅଧ୍ୟାୟ ୩୪(ଜି) ସମ୍ମିଳିତ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ପ୍ରି-ସେଟେଲମେଣ୍ଟ ଦଲିଲ ଆଧାରିତ ମାମଲାର ଫଇସଲା ପାଇଁ ତହସିଲଦାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ବିଚାରାଧୀନ ଥିବା ୩୦ଟି ମାମଲାକୁ ଦେବଗଡ଼ ତହସିଲଦାରଙ୍କ ପାଖକୁ ହସ୍ତାନ୍ତର କରାଯାଇଥିଲା। ତହସିଲ କାର୍ଯ୍ୟାଳୟର ସକ୍ରିୟ ପଦକ୍ଷେପ ଫଳରେ ସମସ୍ତ ମାମଲାର ତ୍ୱରିତ ଫଇସଲା କରାଯାଇ ଆବେଦନକାରୀମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।
ଜମି ପଟ୍ଟା ପାଇ ଆବେଦନକାରୀମାନେ ବହୁତ ଖୁସି ପ୍ରକାଶ କରିଥିବା ସହ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୀର୍ଘଦିନ ଧରି ଅପେକ୍ଷାରତ ମାମଲାଗୁଡିକର ତ୍ୱରିତ ସମାଧାନ ସମ୍ଭବ ହୋଇପାରିଛି ବୋଲି ମତ ପ୍ରକାଶ ପାଇଛି।